ଅନୁଗୁଳ ଜିଲ୍ଲାରେ ମାଡ଼ି ଚାଲିଛି ଏଚ୍‌ଆଇଭି, ୫ ମାସରେ ଆଖି ବୁଜିଲେଣି ୧୫ ଏଡସ ଆକ୍ରାନ୍ତ

You are currently viewing ଅନୁଗୁଳ ଜିଲ୍ଲାରେ ମାଡ଼ି ଚାଲିଛି ଏଚ୍‌ଆଇଭି, ୫ ମାସରେ ଆଖି ବୁଜିଲେଣି ୧୫ ଏଡସ ଆକ୍ରାନ୍ତ

ଅନୁଗୁଳ : ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ମାଡ଼ି ଚାଲିଛି ଏଚ୍‌ଆଇଭି। ସଂକ୍ରମଣ ବଢିବା ସହ ଅନେକ ଜୀବନ ବି ଚାଲିଗଲାଣି। ଗତ ୫ ମାସ ମଧ୍ୟରେ ଅନୁଗୁଳରେ ୧୫ ଜଣ ଏଡ୍‌ସ ଆକ୍ରାନ୍ତ ଆଖି ବୁଜିଲେଣି। ଏହି ସମୟ ମଧ୍ୟରେ ୧୦୦ ଜଣ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ୨୦୨୪-୨୫ ବର୍ଷର ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲାରେ ୧ ଲକ୍ଷ ୧୯୬ ଜଣଙ୍କୁ ଯୌନରୋଗ ସମ୍ବନ୍ଧରେ ପରାମର୍ଶ ଦେବା ସହିତ ସେମାନଙ୍କ ଏଚ୍‌ଆଇଭି ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ ଶରୀରରେ ଚିହ୍ନଟ ହୋଇଛି ଏଚ୍‌ଆଇଭି ଭୂତାଣୁ। ସଂକ୍ରମଣରେ ଅନୁଗୁଳ ବ୍ଲକ ରହିଛି ରେଡ୍‌ ଜୋନ୍‌ରେ। ଏହା ପଛକୁ ବଅଁରପାଳ, ତାଳଚେର ଓ ଛେଣ୍ଡିପଦା ବ୍ଲକ୍‌ ରହିଛି। ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି।

ଅନୁଗୁଳ ଜିଲ୍ଲାରେ ମାଳ ମାଳ ଶିଳ୍ପ କାରଖାନା ଓ ଖଣିଖାଦାନ ରହିଛି। ଏଣୁ ବାହାରୁ ଶ୍ରମିକଙ୍କଠାରୁ ଆରମ୍ଭ କରି ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କ ଆତଯାତ ବୃଦ୍ଧି ପାଉଛି। ଏହାକୁ ତାଳ ଦେଇ ସଂକ୍ରମଣ ହାର ମଧ୍ୟ ବଢ଼ିଚାଲିଛି। ଅପରପକ୍ଷରେ ଜିଲ୍ଲାରେ କିନ୍ନରଙ୍କ ସଂଖ୍ୟା ବୃଦ୍ଧି ଏଡ୍‌ସ ସଂକ୍ରମଣ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶେଷଜ୍ଞ ଡାକ୍ତର ମତ ରଖିଛନ୍ତି। ଜିଲ୍ଲାରେ ୩ ହଜାରରୁ ଅଧିକ କିନ୍ନର ଚିହ୍ନଟ ହୋଇଛନ୍ତି, ଯାହା ରାଜ୍ୟରେ ସର୍ବାଧିକ।

ତେବେ ଜିଲ୍ଲାରେ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି, ସେହି ଅନୁଯାୟୀ ଟେଷ୍ଟିଂ ଓ ସ୍କ୍ରିନିଂ କରାଯାଉନାହିଁ। ଟେଷ୍ଟିଂକୁ ସବୁ ସ୍ଥାନରେ ସୁବିଧାରେ ଉପଲବ୍ଧ କରାଇ ପାରିଲେ ସଂକ୍ରମଣ ରୋକାଯାଇ ପାରନ୍ତା ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

Share

Leave a Reply