ତିନି ମାସରେ ତାଳଚେର କଲେଜରୁ ତିନି ଥର ଚୋରି, ସନ୍ଦେହରେ ଅଧ୍ୟକ୍ଷ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଲେ ପୂର୍ବତନ ଛାତ୍ର

0

ତାଳଚେର: ଦୀର୍ଘ ସମୟ ଧରି ତାଳଚେର କଲେଜ ଅନେକ ଅନିୟମିତତାକୁ ନେଇ ଚର୍ଚ୍ଚାରେ ରହିଆସିଛି। ଏହି କଲେଜକୁ ନେଇ ଏବେ ପୁଣି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି କଲେଜରେ ଥରେ କି ଦୁଇ ଥର ନୁହେଁ, ବରଂ ତିନି ମାସରେ ତିନି ତିନି ଥର ଚୋରି ହୋଇଛି। ଏଣୁ ଏବେ କଲେଜ ଅଧ୍ୟକ୍ଷ ଓ ଜଗୁଆଳି ସନ୍ଦେହ ଘେରରେ ଅଛନ୍ତି।

ସୂଚନାଯୋଗ୍ୟ ଯେ ତାଳଚେରର ସୂଚନା ଅଧିକାର କର୍ମୀ ତଥା କଲେଜର ପୂର୍ବତନ ଛାତ୍ର ଦେବପ୍ରସାଦ ସାହୁ ସୂଚନା ଅଧିକାର ଆଇନ ବଳରେ କିଛି ତଥ୍ୟ ମାଗିଥିଲେ। ତଥ୍ୟ ମୁତାବକ, ବର୍ତ୍ତମାନ ଅଧ୍ୟକ୍ଷ ବିନୟ ଖିଲାରଙ୍କ ସମୟରେ କଲେଜରୁ ତିନି ତିନି ଥର ଚୋରି ହୋଇଛି। ଜଣେ ଅଧ୍ୟକ୍ଷଙ୍କ ସମୟରେ ଏତେ ଥର ଚୋରି କେମିତି ହେଲା ସେ ନେଇ ସନ୍ଦେହ ଉପୁଜିଛି।ଏସବୁ ଚୋରିରେ ଜଗୁଆଳିର ସମ୍ପୃକ୍ତି ଥିବା ନେଇ କୁହାଯାଉଥିଲେ ମଧ୍ୟ ଅଧ୍ୟକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏଣୁ ପରୋକ୍ଷରେ ସେ ବି ଏଥିରେ ସାମିଲ ଥିବା କୁହାଯାଉଛି।

ଚୋରି ହେଉଥିବା ଯୋଗୁ ୨୦୧୯ ରେ ବୈଠକରେ କଲେଜର ଉଭୟ ଫାଟକରେ ସିସିଟିଭି କ୍ୟାମେରା ଲଗାଯିବାକୁ ଏବଂ ଦୁଇଟି ଜଗୁଆଳି ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ୩ ବର୍ଷ ମଧ୍ୟରେ ଦୁଇ ଜଣ ଅଧ୍ୟକ୍ଷଙ୍କ ଅବଧି ପୂରି ଆଉ ୭ ଦିନ ପରେ ବର୍ତ୍ତମାନ ଅଧ୍ୟକ୍ଷଙ୍କ ମଧ୍ୟ ଅବଧି ସମାପ୍ତ ହେବ। କିନ୍ତୁ ସିସିଟିଭି କ୍ୟାମେରା ଲାଗିପାରିଲା ନାହିଁ।

ଏ ନେଇ ସୂଚନା ଅଧିକାରୀ ଶ୍ରୀ ସାହୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରି ଚୋରିର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ କଲେଜକୁ ସିସିଟିଭିରେ ଛାଉଣୀ କରିବା ପାଇଁ ନିବେଦନ କରିଛନ୍ତି। ଅଭିଯୋଗକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗୁରୁତର ସହ ନେଇ ଯଥାଶୀଘ୍ର ଏହାର ତଦନ୍ତ କରିବା ସହ କଲେଜରେ ବହୁଳ ମାତ୍ରା ରେ ସିସିଟିଭି ଲଗାଯିବ ବୋଲି ଆଶ୍ଵାସନା ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!