ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମର ଶେଷ ଜୀବନ ସାଥୀ ପକ୍ଷରୁ ଜଣେ ଅସହାୟ ବ୍ୟକ୍ତିଙ୍କ ଶବଦାହ କରାଯାଇଛି। ଶେଷ ଜୀବନ ସାଥୀ ପକ୍ଷରୁ ବସଲା ସାହିର ହିନ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ସୂଚନା ମୁତାବକ, ସ୍ଥାନୀୟ ବଳରାମ ପ୍ରସାଦ ବସଲା ସାହିର ହିନ ଦାସଙ୍କର ୭୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ଶବଦାହ କରିବା ପାଇଁ କେହି ତାଙ୍କର ନ ଥିଲେ। ଏ ନେଇ ଖବର ପାଇ ଟି.ଏମ.ଏସ୍.ର ଡଃ ସୌଦାମିନୀ ଚୌଧୁରୀ ତୁରନ୍ତ ସାମ୍ବାଦିକ ସୁଧାକର ସାହୁ, ସମାଜ ସେବୀ ଚିନ୍ମୟୀ ଦାସ ଓ ବନ୍ଦା ଗ୍ରାମରେ ଥିବା ଶେଷ ଜୀବନ ସାଥି ସଂଗଠନକୁ ଜଣାଇ ଥିଲେ। ଶେଷ ଜୀବନ ସାଥି କାଠ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ହିନ ଦାସଙ୍କ ଶବକୁ ସମ୍ମାନର ସହ ଦାହ କରିଛି। ଏଥିସହ ହିନ ଦାସଙ୍କ ପତ୍ନୀ ରଜନୀ ଦାସଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ପ୍ରକାଶ ଯେ ପ୍ରାୟ ୨୫ବର୍ଷ ହେବ ଢେଙ୍କାନାଳ ଗେଙ୍ଗୁଟିଆ ଗ୍ରାମରେ ହିନ ଦାସ ଓ ତାଙ୍କ ପତ୍ନୀ ରଜନୀ ଦାସ ରହି ଆସୁଥିଲେ। ସେମାନଙ୍କର କୌଣସି ସନ୍ତାନ ନାହାନ୍ତି। ହିନ ଦାସ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। କିନ୍ତୁ ୨ ବର୍ଷ ତଳେ ଅଫିସ ଯାଉଥିବା ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା, ଫଳରେ ସେ ଗୋଟିଏ ଗୋଡ଼ ହରାଇଥିଲେ। ସେ ଅକ୍ଷମ ହୋଇପଡ଼ିଥିବାରୁ ଘର ମାଲିକ ଦୀନବନ୍ଧୁ ଦାସ ତାଙ୍କୁ ବିନା ମୂଲ୍ୟରେ ରହିବାପାଇଁ ଘର ଦେଇଥିଲେ।

