ପିପୁଲସ ଫୋରମର ମାନବିକତା: ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା

0

ଅନୁଗୁଳ: ପିପୁଲସ ଫୋରମର ମାନବିକତା। ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି କଲେ ଚିକିତ୍ସା। ତାଳଚେର ସ୍ଥିତ “ପିପୁଲସ ଫୋରମ” ଅନୁଷ୍ଠାନର କର୍ମଚାରୀ ମାନେ ଗୁରୁବାର ମଧ୍ୟାହ୍ନରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କର୍ମଚାରୀମାନେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗାଧୋଇ ପାଧୋଇ ପରିଷ୍କାର ବି କରିଥିବା ଦେଖିବାକୁ ମିଳିଛି। ଚିକିତ୍ସା ପରେ ମହିଳାଙ୍କୁ ଅନୁଷ୍ଠାନ ଦ୍ୱାରା ପରିଚାଳିତ ତାଳଚେର ସ୍ଥିତ ” ମିଶନ ଆଶ୍ରା ” କେନ୍ଦ୍ରକୁ ନିଆଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଜଣେ ୪୫/୪୮ ବର୍ଷୀୟା ମାନସିକ ବିକାରଗ୍ରସ୍ତ ମହିଳା ୩-୪ମାସ ହେଲାଣି ଅନୁଗୁଳ ନୂଆ ବସ ଟର୍ମିନାଲ ଯାତ୍ରୀ ପ୍ରତୀକ୍ଷାଳୟରେ ବସି ରହୁଥିଲା। ଯିଏ ଯାହା ଦେଉଥିଲା ଖାଉଥିଲା। ସେଠାରେ ନିୟୋଜିତ ସିକ୍ୟୁରିଟି କର୍ମଚାରୀ ମହିଳାଙ୍କୁ ବସ ଟର୍ମିନାଲ ଭିତରୁ ତଡ଼ିଦେଇଥିଲେ। ପରେ ସେ ଗେଟ ସାମ୍ନାରେ ଥିବା ନିର୍ମାଣାଧୀନ କୋଠା ବାରଣ୍ଡାରେ ଆଶ୍ରୟ ନେଇଥିଲେ। ଜୟ ଜଗନ୍ନାଥ ମନିଙ୍ଗ ୱାକ ଟିମର ଲୋକେ ପ୍ରାୟ ଦୁଇମାସ ହେଲାଣି ମହିଳାଙ୍କୁ ଶୁଖିଲା ଖାଦ୍ୟ ଦେଉଥିଲେ। ଗତ କାଲି ଜଣେ ସହୃଦୟ ବ୍ୟକ୍ତି ମହିଳାଙ୍କ ବାବଦରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସିଡିଏମଓଙ୍କୁ ଅବଗତ କରାଇବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହଯୋଗରେ ମହିଳାଙ୍କୁ ଆଜି “ପିପୁଲସ ଫୋରମ” ଅନୁଷ୍ଠାନର କର୍ମଚାରୀ ଉଦ୍ଧାର କରିଛନ୍ତି। ତେବେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସେବା ଯତ୍ନ ପାଇଁ ସହଯୋଗର ହାତ ବଢ଼ାଇ ଥିବା ଅନୁଷ୍ଠାନ ତଥା କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.

error: Content is protected !!