ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ କଣିହାଁ-୨ ରେଙ୍ଗାଳି ଫରେଷ୍ଟ ବିଟରେ ପାଟ୍ରୋଲିଂ ବେଳେ ଶିକାର କରିବାକୁ ଯୋଜନା କରୁଥିବା ଯୁବକକୁ ମାଡ଼ି ବସିଥିଲେ ବନ କର୍ମଚାରୀ। କିନ୍ତୁ ସେମାନେ ସୁଯୋଗ ଦେଖି ଖସି ପଳାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରୁ ଦୁଇଟି ଛୁରୀ ସହ ଏକ ବାଇକ୍ ଜବତ କରିଛି।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀ ହନୁମାନପୁର ପଞ୍ଚାୟତ ଅନ୍ଧାରି ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ସ୍ଥାନୀୟ ବିଟ ବନପାଳ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ଶିକାରୀ ବାଇକ ସହିତ ଦୁଇଟି ଛୁରୀ ଛାଡି ଘଟଣାସ୍ଥଳ ଚମ୍ପଟ ମାରିଥିଲେ। ଏନେଇ ଆଜି କଣିହାଁ ରେଞ୍ଜ ଅଧିକାରୀ ନୀଳାଦ୍ରି ନାଥ ସାହୁ କଣିହାଁ ଥାନାରେ ଅଭିଯୋଗ କରିବା ସହିତ ଜବତ ବାଇକ ସହିତ ଦୁଇଟି ଛୁରୀକୁ ହସ୍ତାନ୍ତର କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।