ଅନୁଗୁଳ: ଅନୁଗୁଳ ଟାଉନ ହେମସୁରପଡା ଛକ ଠାରୁ ଚୋରି ହୋଇଥିବା ଏକ ୧୬ ଚକିଆ ହାଇୱାକୁ ଉଦ୍ଧାର କରିଛି ପୋଲିସ। ଏଥିସହ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ତା’ ନିକଟରୁ ଏକ କାର ଓ ଦୁଇଟି ମୋବାଇଲ ଜବତ ହୋଇଛି ବୋଲି ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଗତ ୧୭ ତାରିଖ ବିଳମ୍ବିତ ରାତିରେ ଅନୁଗୁଳ ହେମସୁରପଡା ଛକ ନିକଟରୁ ସୁନୀଲ ଅଗ୍ରୱାଲଙ୍କ ହାଇୱା (OD 19W/2977) ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ୩ଟି ତଦନ୍ତକାରୀ ଟିମ ସାଇବର ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତଦନ୍ତ ଆରମ୍ଭ କରିଥିଲେ। ଅନୁଗୁଳରୁ ଟ୍ରକ ଚୋରି କରି ସମ୍ବଲପୁର ଆଡକୁ ଯାଉଥିବା ବେଳେ ୫୫ନମ୍ବର ଜାତୀୟ ରଜପଥ କଞ୍ଜରା ନିକଟରେ ଦୁର୍ବୃତ୍ତମାନେ ସେଥିରୁ ଜିପିଆରଏସ କାଢି ଫିଙ୍ଗି ଦେଇଥିଲେ।
ପରେ ରାୟପୁର ନେଇ ପୁଣି ଅନୁଗୁଳ ଫେରିଥିଲେ। ଚୋରି ଟ୍ରକ ପଛେ ପଛେ ଏକ ମାରୁତି ଡିଜାୟାର କାର (HR 38AV5643) ରେ ଦୁର୍ବୃତ୍ତମାନେ ଯାଉଥିଲେ। ବରଗଡ଼ ଜିଲ୍ଲା ସୋହେଲା ନିକଟରେ ପୋଲିସ କାରକୁ ଧରିଥିଲା। ୩ ଜଣ ଦୁର୍ବୃତ୍ତ ଖସିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ମୋଇନ୍ ଖାନ ପୋଲିସ ହାତରେ ଧରାପଡିଥିଲା। ସେ ଜିନ୍ଦଲ ମେଟେରିଆଲ ରୋଡ଼ ନିକଟରେ ଟ୍ରକ ଲୁଚାଇଥିବା କହିଥିଲା।
ପ୍ରକାଶ ଯେ, ଅଭିଯୁକ୍ତ ମୋଇନ୍ ଖାନ ହରିୟାଣାର ହୋଇଥିବା ବେଳେ ୨/୪ମାସ ହେଲାଣି ଜିନ୍ଦଲ ପ୍ଲାଣ୍ଟରେ ନିଜର ୩/୪ଟି ଟ୍ରକ ଲଗାଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।