ଅନୁଗୁଳ: ତାଳଚେରର ପ୍ରସିଦ୍ଧ ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଯାଇଛି। ଚାଲୁଥିବା ଅବସ୍ଥାରେ ଏକ ‘ଡ୍ରାଗନ ଦୋଳି’ ହଠାତ୍ ଛିଡ଼ି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୋଳିଟି ଲାଇନଚ୍ୟୁତ ହୋଇ ପ୍ରାୟ ୧୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସେଠାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥାନୀୟ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହିତ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଯାତ୍ରା ପଡ଼ିଆରେ ଥିବା ଅନ୍ୟ ସମସ୍ତ
ଦୋଳିଗୁଡ଼ିକୁ ପ୍ରଶାସନ ପକ୍ଷରୁ ତତ୍କାଳ ବନ୍ଦ କରିଦିଆଯାଇଛି। ଦୋଳିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମେଳାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହୋଇଛି।








