ଅନୁଗୁଳ: ସ୍ଥାନୀୟ ଅନ୍ତୁଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ନେଇ ଆଜି ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଅଭିଭାବକଙ୍କ ଅଭିଯୋଗ ମୁତାବକ, ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ୍ ୩୦୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ଦୁଃଖର ବିଷୟ ହେଉଛି ପଢ଼ାଇବାକୁ ୧୭ ଜଣଙ୍କ ବଦଳରେ ମାତ୍ର ୮ ଜଣ ଶିକ୍ଷକ ଅଛନ୍ତି। ଏନେଇ ଅଭିଭାବକମାନେ ବାରମ୍ବାର ଅଭିଯୋଗ କରିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା କହିଛନ୍ତି।
ଅଭିଭାବକ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟରେ କିରାଣୀ, ଚପରାସି ଓ ରାତ୍ର ଜଗୁଆଳ ମଧ୍ୟ ନାହାନ୍ତି। ଫଳରେ ପିଲାଙ୍କର ବହୁ ଅସୁବିଧା ହେଉଛି। ତେବେ ଆଜି ଅଭିଯୋଗ ପରେ ଯଦି କୌଣସି ସମାଧାନ ନ ହୁଏ ତେବେ ସେମାନେ ଆଉ ସ୍କୁଲକୁ ପିଲାଙ୍କୁ ଛାଡିବେ ନାହିଁ ଓ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।