ବିଶ୍ଵ ଜୈବ ବିବିଧତା ଦିବସ: ଧ୍ଵଂସ ମୁଖରେ ଜିଲ୍ଲାର ଜୈବ ବିବିଧତା: ଖଣି ନିଆଁରେ ହଜିଯିବ ସବୁଜିମା

You are currently viewing ବିଶ୍ଵ ଜୈବ ବିବିଧତା ଦିବସ: ଧ୍ଵଂସ ମୁଖରେ ଜିଲ୍ଲାର ଜୈବ ବିବିଧତା: ଖଣି ନିଆଁରେ ହଜିଯିବ ସବୁଜିମା

ଅନୁଗୁଳ: ଏକବିଂଶ ଶତାବ୍ଦୀର ମଧ୍ୟଭାଗରେ ବିଶ୍ଵ ଏଡ୍‌ସ, କର୍କଟ, କରୋନା ଭଳି ମହାମାରୀର ସମ୍ମୁଖୀନ ହେଉଥିବା ବେଳେ ଆମ ଜୈବ ବିବିଧତା,ବିଗତ ଶହ ଶହ ବର୍ଷ ଧରି ଆମକୁ ବଞ୍ଚାଇ ରଖିଥିବା ଆମର ସୁରକ୍ଷିତ ପରିବେଶର ଛତ୍ର ଆଜି ଖଣ୍ଡବିଖଣ୍ଡିତ ହେବାକୁ ବସିଛି।ଧ୍ଵଂସ ମୁଖରେ ବିଶ୍ୱର ଜୈବ ବିବିଧତା, ପ୍ରାକୃତିକ ହରିୟାଲି ବା ସବୁଜିମା ଆଜି କେବଳ ସ୍ବପ୍ନ ହୋଇ ରହିଯାଇଛି।

ଯଦି ଅନୁଗୁଳ ଜିଲ୍ଲା କଥା ବିଚାରକୁ ନିଆଯାଏ ଆମ ଜିଲ୍ଲାର ବି ସମାନ ଅବସ୍ଥା। ୧୯୭୦ ମସିହା ଯାଏ ଅନୁଗୁଳରେ ଘଞ୍ଚ ଜଙ୍ଗଲ ଭରି ରହିଥିଲା। ଧୀରେ ଧୀରେ ଶିଳ୍ପାୟନ ବଢିଲା,ଖଣି ଖାଦାନ ବଢିଲା ଫଳରେ ପ୍ରକୃତି ଉପରେ ଚାପ ବଢିଲା। ସାଂପ୍ରତିକ ସ୍ଥିତି ଯଦି ଚିନ୍ତା କରାଯିବ ତେବେ ଏହା ଯେତିକି ଉଦବେଗଜନକ ସେତିକି ଭୟ ଉଦ୍ରେକକାରୀ। ଅନୁଗୁଳ ଜିଲ୍ଲାରେ ଶିଳ୍ପ ଖଣି ବଢୁଛି। ଆଧୁନିକତା ନାଁରେ ବଳି ପଡୁଛି ଜଙ୍ଗଲ, ବଳି ପଡୁଛି ଗଛ। ଜିଲ୍ଲାର ପ୍ରାୟ ୬,୮୦୦ ହେକ୍ଟର ଜଙ୍ଗଲ ଖଣି ଗିଳି ସାରିଲାଣି। ୮୦୦.୫୦ ହେକ୍ଟର ଚାଷଜମି ଅଣ ଚାଷକୁ ପରିବର୍ତ୍ତିତ ହେଲାଣି। ଏସବୁ ସୂଚିତ କରୁଛି କି ଆମେ ଖୁବ୍ ଶୀଘ୍ର ଏକ ମସ୍ତ୍ ବଡ଼ ବିପଦକୁ ସାମନା କରିବାକୁ ଯାଉଚେ। କଣ ହୋଇପାରେ ଏ ବିପଦର ସ୍ୱରୂପ।

ଭୂତଳ ଜଳ ପ୍ରଦୂଷିତ ହେବ ସହ ନିମ୍ନ ଗାମୀ ହେଲାଣି। ଜିଲ୍ଲାରେ l କିଡନୀ ରୋଗ ବଢ଼ି ଚାଲିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଫ୍ରୋଲୋଜୀ ବିଭାଗରେ ୫୦ ରୁ ଅଧିକ ରୋଗୀ ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପିଇବା ପାଣିର ସମସ୍ୟା। ବାୟୁ ପ୍ରଦୂଷଣ ହେତୁ ଭୟଙ୍କର ରୋଗ ଗ୍ରସ୍ତ l ଅନୁଗୁଳବାସୀ। ସାତକୋଶିଆ ଅଞ୍ଚଳକୁ ଛାଡିଦେଲେ ଅନ୍ୟ ଅଞ୍ଚଳର ଜୈବ ବିବିଧତା ନଷ୍ଟ ହେଲାଣି। ମନ୍ଦରଗିରି, ଡେରଜାଙ୍ଗ ଜଳଭଣ୍ଡାର ଅଞ୍ଚଳର ଆଉ ସେ ପୂର୍ବର ସବୁଜିମା ନାହିଁ। ଅନେକ ପଶୁ,ପକ୍ଷୀ, କୀଟ ପତଙ୍ଗ ଲୋପ ପାଇବାକୁ ବସିଲାଣି।ଆମ ଜଙ୍ଗଲରେ ଆଉ ତେନ୍ତଲା, ସର୍ପଗନ୍ଧା, ଚିରେଇତା, ଭୃଙ୍ଗରାଜ୍, ଦ୍ରୋଣପୁସ୍ପି, ଅଶୋକ, ଅର୍ଜୁନ ଭଳି ଔଷଧୀୟ ଗଛ ଆଉ ଦେଖିବାକୁ ମିଳୁନାହିଁ। ପ୍ରତିବର୍ଷ ନୂଆ ନୂଆ ଖଣି ଖୋଳା ଚାଲିଛି।

ଛେଣ୍ଡିପଦା ବ୍ଲକରେ ସିଂରେଣି କମ୍ପାନୀ ପକ୍ଷରୁ ଖଣି ପାଇଁ ୧ ଲକ୍ଷ ୫ ହଜାରରୁ ଅଧିକ ଗଛ କଟାଯିବ ବୋଲି ପ୍ରସ୍ତାବ ରହିଛି। ସ୍ଥାନୀୟ ବିଧାୟକ ଗଛକଟା ବେଳେ ଫଟୋ ଉଠାଇ ଗର୍ବ ଅନୁଭବ କରୁଛନ୍ତି।ଏଣେ ମାମଲା ଯାଇ ଏନ୍‌ଜିଟିରେ ପହଞ୍ଚିଲାଣି। ଫଳ କଣ ହେବ ସମୟ କହିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯଦି ଆମେ ଏକତ୍ରିତ ହୋଇ ପ୍ରକୃତିକୁ ସୁରକ୍ଷା ନଦେବା ତେବେ ଅନୁଗୁଳରେ ଭବିଷ୍ୟତରେ ସମସ୍ତଙ୍କ ପାଖେ ପର୍ଯ୍ୟାପ୍ତ ଟଙ୍କା ଥିବ କିନ୍ତୁ ଖାଇବାକୁ ଶସ୍ୟ ନଥିବ କି ପିଇବାକୁ ଭଲ ପାଣି ଟିକେ ନଥିବ । ତେଣୁ ବେଳହୁଁ ସାବଧାନ।

Share

Leave a Reply