୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୬ ବର୍ଷ, ଆଜିର ଦିନରେ ମୁମ୍ବାଇ ଛାତିରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ

0

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ୧୬ ବର୍ଷ ପୂରିଲା l ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇର ଛାତି ଉପରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ। ଛାତିଥରା ବୋମା ବିସ୍ଫୋରଣ ଆଉ ଆଖି ବୁଜା ଗୁଳି ଚାଳନା କରି ନେଇଥିଲେ ଶତାଧିକ ଜୀବନ। ଆଜି ବି ସେ ଅଭିଶପ୍ତ ରାତି କଥା ମନେ ପଡ଼ିଲେ ହୃଦୟ ଫାଟିପଡ଼େ। ସମୟ ବିତିଥିଲେ ବି କ୍ଷତ ଶୁଖିନି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ।

ସେହି କାଳ ରାତିରେ ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲଡ କାଫେରେ ଚଳାଇଥିଲେ ସଂହାର ଲୀଳା। ଖେଳିଥିଲେ ରକ୍ତର ହୋଲି। ତେବେ ଏକମାତ୍ର ଆତଙ୍କୀ ଅଜମଲ କସବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ ।

ନଭେମ୍ବର ୨୬ ତାରିଖ ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଗୁଳିବର୍ଷଣ କରିଥିଲେ। ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହତ ହୋଇଥିଲେ। ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍। ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା, ଯାହାକୁ ସଫଳ କରିବାକୁ ୧୦ ଜଣ ଆତଙ୍କବାଦୀଙ୍କୁ ଜଳପଥରେ ଭାରତ ପଠାଇଥିଲା ଏହି ସଙ୍ଗଠନ। ୨୬-୧୧ର ଏହି ଘଟଣା ଭାରତ ଇତିହାସରେ ଏକ କଳାଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave A Reply

Your email address will not be published.

error: Content is protected !!