ଆଜି ଜମିବ ଛାଡ଼ଖାଇ

You are currently viewing ଆଜି ଜମିବ ଛାଡ଼ଖାଇ

ଡଙ୍ଗା ଭସା ସହ ସରିଲା ଧର୍ମମାସ କାର୍ତ୍ତିକ। କାର୍ତ୍ତିକରେ ଆମେ ହିନ୍ଦୁ ଆମିଷ ଛାଡ଼ିଥାଉ। ପବିତ୍ର ମାସରେ ମାଛ, ମାଂସ, ଅଣ୍ଡା ଆଦି ଧର୍ମ ନଷ୍ଟ କରିଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ଏଣୁ ଅଧିକାଂଶ ହିନ୍ଦୁ ଲୋକ କାର୍ତ୍ତିକରେ ଧର୍ମ କରିବାକୁ ଆମିଷ ତ୍ୟାଗ କରିଛନ୍ତି। ସେଥିପାଇଁ କାର୍ତ୍ତିକ ପରେ ପଡ଼ୁଥିବା ଛାଡ଼ଖାଇ ଉପରେ ଥାଏ ଅଧିକାଂଶଙ୍କ ନଜର। କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ହିଁ କ୍ୟାଲେଣ୍ଡରରେ ଲୋକ ଦେଖି ନିଅନ୍ତି, ଛାଡ଼ଖାଇ କେବେ?

ଏଥର ଛାଡ଼ଖାଇ କିନ୍ତୁ ପୂରା ମାଡ଼ ଖାଇଯାଇଛି। କାରଣ ହେଉଛି ଗୁରୁବାର। ଏକେରେ ତ ଗୁରୁବାର ଦୁଇରେ ମାର୍ଗଶିର ମାସ। ମାଣବସା ଗୁରୁବାରରେ ଆମିଷ ଖାଇବା ତ ଦୂରେ ଥାଉ ହିନ୍ଦୁମାନେ ନାଁ ବି ପାଟିରେ ଧରିବା ପାପ ଭାବିଥାନ୍ତି। ଏହି କାରଣରୁ ଏଥରକ ଛାଡ଼ଖାଇ ପାଣିଚିଆ ହୋଇଯାଇଛି। ଅବଶ୍ୟ ପଂଚୁକରେ ପିଆଜ ରସୁଣ ଛାଡ଼ିଥିବା ଲୋକ କାଲି ଟିକେ ସାଦାରେ ଭଲ ମନ୍ଦ ଖାଇ ଯାହିତାହି ଛାଡ଼ଖାଇ ପାଳିଦେଇଛନ୍ତି। ହେଲେ ପ୍ରକୃତ ଅପେକ୍ଷା କିନ୍ତୁ  ଶୁକ୍ରବାର ଅନ୍ତ ଘଟିବ।

ଶୁକ୍ରବାରରେ ଆମିଷ ଟିକେ ପାଟିରେ ବାଜିବ ବୋଲି କେତେକ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କିଏ ମଟନ ପାଇଁ ଆଗୁଆ ଅର୍ଡର୍ ଦେଇ ଆଡଭାନ୍ସ ଦେଇଛିତ ଆଉ କିଏ ଚିକେନ୍ ଖାଇବା ନା ମାଛ ସେଇ ଚିନ୍ତାରେ। ଆଉ କିଛି ତ ଦୁଇ ତିନି ପ୍ରକାର ଆମିଷ କରିବେ ବୋଲି କଲିଠୁ ଘରଣୀଙ୍କ ପାଖେ ଫରମାଇସ କରି ସାରିଲେଣି। କିଛି ନହେଲେ ଅଣ୍ଡା ଟିକେ ଖାଇ ଛାଡ଼ଖାଇ ପାଳିବାକୁ ବି କିଛି ତୟାର ହେଲେଣି। ଲୋକଙ୍କ ଡିମାଣ୍ଡକୁ ଦେଖି ବେପାରି ବି ପ୍ରସ୍ତୁତ। ନିଜ ପାଖେ ବିଭିନ୍ନ ଭେରାଇଟିର ମାଛ ଆଣି ରଖିଲେଣି ବେପାରି।

ତେବେ ଧନୀ ହେଉ କି ଗରିବ, କାର୍ତ୍ତିକ ପାଳିଥାଉ କି ନ ପାଳିଥାଉ; ଛାଡ଼ଖାଇରେ ଖାଦ୍ୟ ପ୍ରିୟ ଆମ ଓଡ଼ିଆଙ୍କ ପାଟିରେ ଆମିଷ ଟିକେ ବାଜିବା କିନ୍ତୁ ଥୟ।

Share

Leave a Reply