ଅନୁଗୁଳ: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରକ ଚମ୍ପତିମୁଣ୍ଡା ସ୍ଥିତ ଅନୁଗୁଳ ଜବାହର ନବୋଦୟ ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛି। ଚଳିତବର୍ଷ ଦଶମ ଶ୍ରେଣୀରେ ମୋଟ ୮୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୩୦ ଜଣ ୯୦% ରୁ ଅଧିକ ମାର୍କ ରଖିଛନ୍ତି।
ଆଦିତ୍ୟ ପ୍ରସାଦ ପ୍ରଧାନ ୯୭.୮୦% ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ପ୍ରିଶା ପ୍ରାଞ୍ଜଲ୍ ୯୬.୮୦%ରେ ଦ୍ୱିତୀୟ ଏବଂ ଆଶିଷ କୁମାର ଦେହୁରୀ ୯୫.୪% ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ସ୍କୁଲର ୮୧ ଜଣ ଛାତ୍ରଛାତ୍ରୀ ୬୦% ରୁ ଅଧିକ ନମ୍ବର ରଖିଥିବା ବେଳେ ୪ ଜଣ ଓଡ଼ିଆ ରେ ୧୦୦ ରୁ ୧୦୦ ରଖିଛନ୍ତି ଏବଂ ଗଣିତରେ ୩ ଜଣ ୧୦୦ ରୁ ୧୦୦ ରଖି ସ୍କୁଲର ଗୌରବ ବଢ଼ାଇଛନ୍ତି।
ସେହିପରି ଦ୍ୱାଦଶ ଶ୍ରେଣୀରେ ମୋଟ ୫୯ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ସମସ୍ତ ବିଦ୍ୟାର୍ଥୀ ୬୦% ରୁ ଅଧିକ ନମ୍ବର ରଖିଛନ୍ତି। ସେଥିରୁ ୧୨ ଜଣ ୯୦% ରୁ ଅଧିକ ମାର୍କ ରଖିଛନ୍ତି। ୯୬.୮୦% ସହ ଅସ୍ମିନ୍ ମହାରଣା ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ସ୍ମୃତି ଚନ୍ଦ୍ରମା ତରାଇ ୯୪.୮୦% ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସୁମିତ୍ ସତ୍ ଦର୍ଶନ ୯୪.୨% ରଖି ତୃତୀୟ ସ୍ଥାନରେ ଅଛନ୍ତି। ୩ ଜଣ ପାଠାଗାର ଓ ସୂଚନା ବିଜ୍ଞାନରେ ଏବଂ ୩ ଜଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ୧୦୦ ରୁ ୧୦୦ ରଖିଛନ୍ତି। ସ୍କୁଲର ଏ ସଫଳତା ପାଇଁ ସମସ୍ତଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।