ତାଳଚେର : ତାଳଚେର ପଞ୍ଚାୟତ ସମିତି ସଭା ଘରେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଗୁରୁଜାଙ୍ଗୁଲି ଓ ଜଗନ୍ନାଥପୁର ପଞ୍ଚାୟତବାସୀଙ୍କ ତରଫରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ୧୪୯ ନମ୍ବର ଜାତୀୟ ରାଜପଥ ଗୁରୁଜାଙ୍ଗୁଲି ଛକ ଠାରେ ହମ୍ପସ ନିର୍ମାଣ, ଆନନ୍ଦବଜାର ଓ ଲକ୍ଷ୍ମୀ ବଜାର ଛକରେ ଥିବା ଡ୍ରେନଗୁଡିକୁ ତୁରନ୍ତ ସଫା ଓ ଦୀଘି ନାଏକ ସାହିରେ ପିଇବା ପାଣିର ସୁବ୍ୟବସ୍ଥା ଓ ହାଟ ପାଖରେ ୨ ରୁ ୩ ଟି ପାଣି ଟ୍ୟାପ ଲଗାଇବାକୁ ନିବେଦନ କରାଯାଇଛି।
ଅଭିଯୋଗ ଅନୁସାରେ, ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ଗ୍ରାମ ମଧ୍ୟ ଦେଇ ୧୪୯ ନମ୍ବର ଜାତୀୟ ରାଜପଥ ଯାଇଛି। ପୂର୍ବରୁ ଗାଁ ଛକ ସ୍କୁଲ ପାଖରେ ଏକ ହମ୍ପସ ଥିଲା। କିନ୍ତୁ ବର୍ତ୍ତମାନ ରାସ୍ତା ଉପରେ ପିଚୁ କାମ ହେବା ପରେ ହମ୍ପସକୁ ସଂପୂର୍ଣ୍ଣ ରୂପେ ଉଠାଇ ଦିଆଯାଇଛି। ଗାଁର ବାମ ପଟେ କିଛି ଦୂରରେ ଗୁରୁଜାଙ୍ଗୁଲି ପ୍ରାଥମିକ ସ୍କୁଲ ପିଲା ଓ ଜନସାଧାରଣ ବାରମ୍ବାର ଦୁର୍ଘଟଣା ହେଉଛନ୍ତି। ଏଣୁ ଗୁରୁଜାଙ୍ଗୁଲି ଛକ କିମ୍ବା ଆଶ୍ରମ ନିକଟରେ ପୁନଃ ଏହି ହମ୍ପସକୁ ତିଆରି କରିବାକୁ ଦାବି ହୋଇଛି।
ସେହିପରି ଥର୍ମାଲ ଲକ୍ଷ୍ମୀ ବଜାର ଠାରୁ ଆନନ୍ଦବଜାର ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵର ଡ୍ରେନ ଗୁଡିକ ସଫା ହେଉନଥିବାରୁ ମଇଳା ପାଣି ରାସ୍ତା ଉପରେ ଭାସୁଛି। ଏ ନେଇ ସନ୍ଥପଡ଼ା, ଗୁରୁଜାଙ୍ଗୁଲି, ଜଗନ୍ନାଥପୁର, ଆନନ୍ଦବଜାର ଓ ଲକ୍ଷ୍ମୀ ବଜାରର ବ୍ୟବସାୟୀଗଣ ଏନଟିପିସି ତାଳଚେର ଥର୍ମାଲ ଜିଏମ୍ ଓ ଏଜିଏମ୍ ଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ପଦକ୍ଷେପ ନେଉନାହାନ୍ତି। ତେଣୁ ଡ୍ରେନଗୁଡିକୁ ତୁରନ୍ତ ସଫା କରାଯିବା ପାଇଁ ନିବେଦନ କରାଯାଇଛି।
ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ନାଏକ (ହରିଜନ) ସମ୍ପ୍ରଦାୟର ପ୍ରାୟ ୩୦ ଘରର ୨୫୦ ଶହ ଲୋକ ଥର୍ମାଲ ହାଟ ନିକଟସ୍ଥ ଦିଘି ଗ୍ରାମରେ ବାସ କରନ୍ତି। ଏଠାରେ ପାନୀୟ ଜଳ ସୁବିଧା କରିବାକୁ ଦାବି ହୋଇଛି।
ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଟିହୁଲୁ ବେହେରା, ହେମନ୍ତ କୁମାର ଦେହୁରୀ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ନାହାକ, ମାୟାଧର ସାମଲ, ଶିବ ପ୍ରସାଦ ଭୁକ୍ତା, ଶିଖର ସାମଲ, ବିନୋଦ ସାମଲ, ପ୍ରକାଶ ଚନ୍ଦ୍ର ସାହୁ, ରବି ବେହେରା ଓ ତପନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ତାଳଚେରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ପାନୀୟ ଜଳ, ଡ୍ରେନ ସମସ୍ୟା ଆଦି ନେଇ ଦାବି ପତ୍ର ଦେଲେ ପଞ୍ଚାୟତବାସୀ
