ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ତୁଲାଉଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବାଲ୍ୟ ବିବାହର ମୁକାବିଲା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବାଲ୍ୟ ବିବାହର ସଂକଟ ସମ୍ପର୍କରେ ସମାଜକୁ ଅବଗତ କରିବା ସହ ଜିଲ୍ଲାରେ ଏହି ବେଆଇନ କାର୍ଯ୍ୟକୁ ରୋକିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।
ଅନୁଗୁଳ ଜିଲ୍ଲାପାଳ ଅବଦାଲ ଅଖତର ଆନୁଷ୍ଠାନିକ ଭାବେ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ(ଏଡିଏମ) ପ୍ରତାପ ପ୍ରୀତିମୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୁପମା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ଆଇସିଡିଏସର କର୍ମଚାରୀ ଏବଂ ଜିନ୍ଦଲ ଫାଉଣ୍ଡେସନର ସଦସ୍ୟମାନେ ସାମିଲ ହୋଇଥିଲେ ।
ଏହି ସଚେତନତା ରଥ ବିଭିନ୍ନ ଗାଁ ଏବଂ ସହର ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ବାଲ୍ୟ ବିବାହ ବିରୋଧରେ କଠୋର ଆଇନ ଆଣିବା ସହ ବାଲ୍ୟ ବିବାହ କିଭଳି ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଜିନ୍ଦଲ ଫାଉଣ୍ଡେସନ ଯଶସ୍ୱୀ କାର୍ଯ୍ୟକ୍ରମ ଜରିଆରେ ଅବହେଳିତ ଝିମାନଙ୍କୁ ସେମାନଙ୍କ ପସନ୍ଦର ଉଚ୍ଚଶିକ୍ଷା ପାଇଁ ନିରନ୍ତର ସହାୟତା ପ୍ରଦାନ କରି ଆସୁଛି ।