୨୦୧୯ ମସିହାର ହତ୍ୟାକାଣ୍ଡର ଶୁଣାଣି କରି ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡ ଏବଂ ମା’-ବାପାକୁ ବର୍ଷେ ଜେଲ୍

You are currently viewing ୨୦୧୯ ମସିହାର ହତ୍ୟାକାଣ୍ଡର ଶୁଣାଣି କରି ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡ ଏବଂ ମା’-ବାପାକୁ ବର୍ଷେ ଜେଲ୍
Law Judge Gavel And Legality Symbol

ଅନୁଗୁଳ: ୨୦୧୯ ମସିହାର ଏକ ହତ୍ୟାକାଣ୍ଡର ଶୁଣାଣି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ତଥା ଶେଷନ୍ସ କମ୍ ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ମା’-ବାପାକୁ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଗତ ୩୧.୧୨.୨୦୧୯ ରାତି ପ୍ରାୟ ୮ଟା ୪୫ମିନିଟ ସମୟରେ ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମର ସଞ୍ଜୟ କୁମାର ସାହୁ ଘରେ ଥିବା ବେଳେ ଗାଁର ପ୍ରସନ୍ନ ସାହୁଙ୍କ ପୁଅ ନାରାୟଣ ସାହୁ ଠେଙ୍ଗା, ଟାଙ୍ଗିଆ ଧରି ତାଙ୍କୁ ଆକ୍ରମଣ କରିଥିଲା। ଏଥିସହ ସଞ୍ଜୟ ଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର ଦେଖାଇଥିଲା। ନାରାୟଣ ସାହୁର ବାପା ପ୍ରସନ୍ନ ସାହୁ ଏବଂ ମା’ ପ୍ରଭାତୀ ସାହୁ ମଧ୍ୟ ସେମାନଙ୍କୁ ଜୀବନରୁ ମାରିଦେବାକୁ ପୁଅ ନାରାୟଣକୁ ପ୍ରବର୍ତ୍ତାଉ ଥିଲେ। ଘର ଭିତରେ ଏହି ସବୁ କାଣ୍ଡ ଚାଲିଥିବା ସମୟରେ ସଞ୍ଜୟଙ୍କ କକା ଗଗନ ସାହୁ ଘର ଭିତରକୁ ଆସୁଥିବା ଦେଖି ନାରାୟଣ ଓ ତା’ ବାପା ଗଗନଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ପରିବାର ଲୋକଙ୍କ ପାଟିଶୁଣି ସାହି ପଡୋଶୀ ଦୌଡ଼ି ଆସିବାରୁ ନାରାୟଣ ଓ ତା’ ବାପା-ମା’ ସେଠାରୁ ପଳାଇଥିଲେ। ତେବେ ଗୁରୁତର ଅବସ୍ଥାରେ ଗଗନ ସାହୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିବା ସହ ନିଶା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଏହି ଘଟଣାରେ ନାରାୟଣ ସାହୁ, ତା’ ବାପା ପ୍ରସନ୍ନ ସାହୁ ଓ ମା’ ପ୍ରଭାତୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୫ ଦିନ ପରେ ସଞ୍ଜୟଙ୍କ କକା ଗଗନ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ପୋଲିସ ନାରାୟଣ ସାହୁ ବିରୁଦ୍ଧରେ ଦଫା ୩୦୨ରେ ଅନ୍ୟ ଏକ କେସ୍ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ସେହିଦିନ ଠାରୁ ଅଭିଯୁକ୍ତ ମାନେ ବିଚରାଧୀନ କଏଦୀ ଭାବେ ସଜା କାଟୁଥିଲେ।

ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ତଥା ଶେଷନ୍ସ କମ ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଅଭିଯୁକ୍ତ ନାରାୟଣ ସାହୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସେହିପରି ତା’ ମା ପ୍ରଭାତୀ ସାହୁ ଏବଂ ବାପା ପ୍ରସନ୍ନ ସାହୁକୁ ବର୍ଷେ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ଏବଂ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ କେସ୍ ପରିଚାଳନା କରୁଥିଲେ।

Share

Leave a Reply