କଣିହାଁ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲି ଦେଉଛି ଏନଟିପିସି, ଯୁଆଡ଼େ ଦେଖ ଗଦା ଗଦା ପାଉଁଶ ଆଉ ଧୂଳି

You are currently viewing କଣିହାଁ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲି ଦେଉଛି ଏନଟିପିସି, ଯୁଆଡ଼େ ଦେଖ ଗଦା ଗଦା ପାଉଁଶ ଆଉ ଧୂଳି

ଭାରତର ସର୍ବ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ ତଥା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଏନଟିପିସି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଗଢ଼ି ଉଠିଛି। ଏହି ତାପଜ ବିଦ୍ୟୁତ କେନ୍ଦ୍ର କଣିହାଁରେ ହେବା ବେଳେ ଅଞ୍ଚଳର ଉନ୍ନତି ପାଇଁ ଲୋକେ ନିଜ ଚାଷଜମି, ଜଙ୍ଗଲ ଜମି ଓ ବାସଗୃହ ଆଦି ଏନଟିପିସି ହାତକୁ ଟେକିଦେଇଥିଲେ। କିନ୍ତୁ ବଡ଼ ଦୁଃଖର ବିଷୟ ହେଉଛି ଏହି ଅଞ୍ଚଳର ଉନ୍ନତି ହେବ କଣ ବିଦ୍ୟୁତ ପ୍ରକଳ୍ପର ପାଉଁଶ ଏବେ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। ଏହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଜୀବନ ବିତାଉଛନ୍ତି କଣିହାଁ ତାଳଚେର ବାସୀ।

ସାଧାରଣ ଲୋକଙ୍କ ଜୀବନ ସାଙ୍ଗେ ଖେଳିବା ସହିତ ମରଣ ମୁହଁକୁ ଠେଲିଦେଉଛି ଏନଟିପିସି। ଏହି କମ୍ପାନୀର ଆସପଣ୍ଡରୁ ପାଉଁଶ ମିଶା ପାଣିକୁ ସ୍ଥାନୀୟ ଟିକିରା ନଦୀକୁ ଛଡ଼ାଯାଉଛି। ଟିକିରା ନଦୀର ଏହି ଜହର ମିଶା ଜଳ ବ୍ରାହ୍ମଣୀରେ ମିଶୁଥିବାରୁ ଆଖ ପାଖ ପ୍ରାୟ ଦଶଟି ପଞ୍ଚାୟତ ପାଇଁ କାଳ ସାଜିଛି। ଲୋକେ ଏହି ଦୁଇ ନଦୀର ଜଳ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏଠାକାର ଲୋକ କିଡନୀ, ଲିଭର, ତଥା ଚର୍ମ ରୋଗ ସହ କର୍କଟରେ ବି ପୀଡ଼ିତ ହୋଇ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଏହି କମ୍ପାନୀର କେମିକାଲ ମିଶା ପାଉଁଶ ଗୁଣ୍ଡ ଏବେ ଜଙ୍ଗଲ ଓ ରାସ୍ତା ଘାଟରେ ଗଦା ହୋଇଥିବା ଦେଖିବାକୁ ମିଳୁଛି। ରାସ୍ତାରେ ଯାନବାହାନ ଯାତାୟାତ କରିବା ଦ୍ୱାରା ଏହି ପାଉଁଶ ଧୂଳି ଉଡି ଘରଦ୍ୱାର, କୂଅ, ପୋଖରୀରେ ପଶୁଛି।

ଏନେଇ ଲୋକେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଖୁବଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply