କାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ

ବଳାତ୍କାର ଉଦ୍ୟମର ପ୍ରତିଶୋଧ ନେବାକୁ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

0

ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ ଜଣେ ବିଧବା ମହିଳାଙ୍କୁ ପୁଲିସ ଗିରଫ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ତେବେ ଏହି ହତ୍ୟାକାଣ୍ଡରେ କେବଳ ଟୁନୀ ନୁହେଁ, ଅନ୍ୟ ସହଯୋଗୀଙ୍କର ମଧ୍ୟ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରିଛି । ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ବୋଲି ଜଣାପଡ଼ିଛି । ବଳାତ୍କାର ଉଦ୍ୟମ କରିବାରୁ ପ୍ରତିଶୋଧ ପରାୟଣ ହୋଇ କାଶୀନାଥଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ।ଗତ ୩୦ ତାରିଖ ରାତି ୮ଟା ବେଳେ କାଶୀନାଥ ପରିସ୍ରା ଯାଉଛି କହି ଘରୁ ବାହାରି ଆସିଥିଲେ ହେଁ ରାତି ପର୍ଯ୍ୟନ୍ତ ଫେରି ନ ଥିଲେ। ପରିବାର ଲୋକ ଭୋରରୁ ଖୋଜାଖୋଜି ଚଳାଇଥିବା ବେଳେ ମଧ୍ୟାହ୍ନ ବେଳେ ହାଟବନ୍ଧ ନିମ୍ନ ପାର୍ଶ୍ୱରେ ଥିବା ବିଲମାଳରେ କାଠିଆଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖାଯାଇଥିଲା । ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିଥିଲେ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତରେ ସହାୟତା କରିଥିଲେ । କାଶୀନାଥଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ପରେ ପ୍ରାୟ ୧୦୦ ମିଟର ଘୋଷାଡ଼ି ଫୋପାଡ଼ି ଦିଆଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିଲା । ପୁଲିସ ଅନୁସନ୍ଧାନ କରି ଟୁନୀଙ୍କୁ କାବୁ କରିବାପରେ ଘଟଣାର ସୁରାକ ପାଇଥିଲା । କାଶୀନାଥ ତାଙ୍କୁ ବଳାତ୍କାର କରିବାକୁ ଦୁଇ ଦୁଇ ଥର ଉଦ୍ୟମ କରିଥିଲା । ଫଳରେ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ ଭିଆଇଥିଲା । ଘଟଣାଦିନ ଟୁନୀ କାଶୀନାଥଙ୍କ ପିଛା କରି ଗାଁ ବିଲରେ ହତ୍ୟା କରିଥିବା ପୁଲିସ ଆଗରେ ବୟାନ୍ ଦେଇଥିଲେ ହେଁ ଏହାକୁ ସହଜରେ ଗ୍ରହଣ କରିପାରୁନି ପୁଲିସ । ଜଣେ ମହିଳା ହୋଇ ଏକୁଟିଆ କାଶୀନାଥଙ୍କୁ ହତ୍ୟା କରିବା ସନ୍ଦେହ ସୃଷ୍ଟି କରିଛି । ଏଥିରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ନେଇ ପୁଲିସ ତଦନ୍ତକୁ ଜୋରଦାର କରିଛି ।

Leave A Reply

Your email address will not be published.

error: Content is protected !!