ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ଟିମ୍ ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବ୍ୟାପକ ଅବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦେଇଛି। ପରିମଳ ବ୍ୟବସ୍ଥାକୁ ଦେଖି ଖପ୍ପା ହୋଇଥିବା ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକରୁ ଅଧିକ ସୂଚନା ଫଳକ ଲଗାଇବାକୁ ପରାମର୍ଶ ଦେଇଛି। ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳ ୟର ଡାକ୍ତର ଏସ୍. କେ. ଧଳ ଓ ହସ୍ପିଟାଲ୍ ମ୍ୟାନେଜର ଅଲିଭା ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲା। ପୂର୍ବାହ୍ନରେ ଏହି ଟିମ୍ ପହଞ୍ଚିବା ପରେ ପ୍ରଥମେ ସିଡିଏମ୍ଓଙ୍କ ସହ ଆଲୋଚନା କରିଥିଲେ। ପରେ ଏମ୍ସିଏଚ୍ ବିଲ୍ଡିଂ ବୁଲି ଦେଖିବା ସହ ଏସ୍ଏନସିୟୁ, ଶିଶୁ ୱାର୍ଡ୍, ଓଟି ଆଦି ପରିଦର୍ଶନ କରିଥିଲେ। ପରେ ପର୍ଯ୍ୟାୟ କ୍ରମେ ମେଡିକାଲ୍ର ବିଭିନ୍ନ ୱାର୍ଡ୍ ପରିଦର୍ଶନ କରିବା ସାଙ୍ଗକୁ ସ୍ୱଚ୍ଛତା ପ୍ରତି ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ୱାର୍ଡରେ ହଠାତ୍ ରକ୍ତ ଦରକାର ପଡିଲେ ଏହା କିପରି ପରିଚାଳନା କରିବ, ଏନେଇ କର୍ମଚାରୀଙ୍କୁ ବୁଝାଇଥିଲେ। ମେଡିକାଲ୍ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସଫେଇ କର୍ମଚାରୀଙ୍କୁ ଅଧିକ ତାଲିମର ଆବଶ୍ୟକ ରହିଛି ବୋଲି କହିଥିଲେ। ମେଡିକାଲ୍ ପାଚେରୀକୁ ଲାଗି ରହିଥିବା ଦୋକାନ ସବୁ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ମେଡିକାଲ୍ର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ଜିଲ୍ଲା ଟିମ୍ର ଏହି ପରିଦର୍ଶନ ପରେ ରାଜ୍ୟ ଟିମ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କାୟାକଳ୍ପ ଟିମ୍ର ଏହି ପରିଦର୍ଶନ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜର ଦେବାଶିଷ ଦାଶ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ପୂର୍ଣ୍ଣିମା ଉଦ୍ଗାତା, ମାଇକ୍ରୋ ବାୟୋଲୋଜିଷ୍ଟ୍ ଏସ୍ ଏସ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
କାୟାକଳ୍ପ ଟିମ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
- Post published:November 26, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
