ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି
ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ ନୂଆ କେଳେଙ୍କାରୀ ସାମ୍ନାକୁ ଆସୁଛି। ବିଭାଗରେ ତଳ କର୍ମଚାରୀଠୁ ନେଇ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମନୋମୁଖୀ କାର୍ଯ୍ୟ କରୁଛନ୍ତି। ପାଣି ସଂଯୋଗ କରିବାରେ ଏଠାରେ ଅଧିକାରୀମାନେ ମନ ଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି।
ଯଦି କୌଣସି ଲୋକ ନିଜ ଘରକୁ ପାଣି ସଂଯୋଗ ନେବାକୁ ଅନୁମତି ପାଇଁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗକୁ ଆସନ୍ତି ତେବେ ଅଧିକାରୀ କୁହନ୍ତି, ଯଦି ଘରକୁ ପାଣି ପାଇପ୍ ନବ ଆମେ ଅନୁମତି ଦେବୁ। ନହେଲେ ଅନୁମତି ଦେବୁ ନାହିଁ।
ଅନେକ ଗରିବ ଲୋକ ଘରକୁ ପାଣି ପାଇପ୍ ନେବାକୁ ସକ୍ଷମ ନୁହଁନ୍ତି ବୋଲି ସେମାନଙ୍କୁ ମଧ୍ୟ ଅନୁମତି ପ୍ରଦାନ କରେନି ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ। କିନ୍ତୁ ଅନୁଗୁଳ ସହର ହାକିମପଡ଼ା ଅଞ୍ଚଳରେ ଏକ ଟ୍ୟାପକୁ ବିନା ମିଟରରେ ସଂଯୋଗରେ ଦିଆଯାଇଛି। ଫଳରେ ଗାଡ଼ି ଧୋଇବା, ବାସନ ମାଜିବା, ଗାଈ ଗାଧୋଇବା ଓ ଲୁଗା ସଫା କରିବା ପାଖରୁ ଆରମ୍ଭ କରି ଯିଏ ଯାହା ପାରୁଛି କରୁଛି। ଏମିତି କି ଘରର ପାଣି ବିଲ ଅଧିକ ଉଠିବ ବୋଲି କିଛି ହିତାଧିକାରୀ ସେହି ଖୋଲା ଟ୍ୟାପକୁ କବଜା କରି ପାଣିର ସଠିକ୍ ବ୍ୟବହାର ନ କରି ମନ ଇଚ୍ଛା ଟ୍ୟାପ୍ ଖୋଲି ଦେଇ ବାହାରେ ପାଣି ଛାଡ଼ି ଦେଉଛନ୍ତି। ଯାହା ଫଳରେ ଘରକୁ ସଠିକ୍ ଭାବରେ ପାଣି ନ ଆସିବା କାରଣରୁ ହାକିମପଡା ନିବାସୀ ମମତା ଦାସ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି l
ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ନିୟମ ଦେଖାଇ ବାହାରେ ଖୋଲା ଟ୍ୟାପ୍ ଲାଗି ପାରିବନି ବୋଲି ଅନୁମତି ପ୍ରଦାନ କରୁ ନଥିବା ଜନ ସ୍ଵାସ୍ଥ୍ୟ ବିଭାଗ କେମିତି ହାକିମପଡା ଅଞ୍ଚଳରେ ଖୋଲା ଟ୍ୟାପ୍ ବିନା ମିଟର ସଂଯୋଗରେ ଦେଇଛନ୍ତି।
ତେବେ ଖୋଲା ଟ୍ୟାପ୍ ଦେବା ପାଇଁ କୌଣସି ନିୟମ ନାହିଁ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ନିଜେ ସ୍ଵୀକାର କରୁଥିବା ବେଳେ କାହା ଚାପରେ ଉକ୍ତ ବିଭାଗର ଅଧିକାରୀମାନେ ସେହି ଖୋଲା ଟ୍ୟାପ୍ ଲଗାଇଛନ୍ତି, ତାହା ପ୍ରଶ୍ନ ଉଠିଛି।
ତେଣୁ ଉକ୍ତ ବିଭାଗୀୟ ଅଧିକାରୀ ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।