ଅନୁଗୁଳ: ଅନୁଗୁଳ କେନ୍ଦୁପତ୍ର ଡିଏଫ୍ଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅନୁଗୁଳ ଡିଭିଜନ କମିଟି ପକ୍ଷରୁ ଏକାଧିକ ଦାବି ନେଇ ଧାରଣା ଦିଆଯାଇଛି।
ତାଙ୍କ ଦାବିଗୁଡ଼ିକ ହେଲା କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ବଜେଟ୍ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟିବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ବାତିଲ, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ପରେ ବି ସିଜିନାଲ କର୍ମଚାରୀଙ୍କର ମାସିକ ମଜୁରୀ ବୃଦ୍ଧିରେ ବିଳମ୍ବ, ବନ୍ଧେଇ ଶ୍ରମିକଙ୍କର ପିସ୍ ରେଟ୍ ବୃଦ୍ଧିରେ ବିଳମ୍ବ ଏବଂ ବିଶେଷ କରି ତ୍ରୁଟିପୂର୍ଣ୍ଣ କେଏଲଡିବିରେ ସଂଶୋଧନ ଓ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ୱ ପ୍ରମୁଖ ୧୦ ଦାବି ସମ୍ମଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ଏହି ଧାରଣାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତି ଉଦ୍ବୋଧନ ଦେଇ ଉପରୋକ୍ତ ବିଷୟରେ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରିଥିଲେ। ଆଜି ଡିଏଫ୍ଓ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ଦିଆଯାଇଛି।
ଏହି ଘେରାଉରେ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତ୍ତୁଜା, ରାଜ୍ୟ ସମ୍ପାଦକ ମନୋଜ ସାହୁ, ଅନୁଗୁଳ ଡିଭିଜନ ସମ୍ପାଦକ ରତ୍ନାକର ପ୍ରଧାନ, ବିନୋଦ ଜେନା, ଦେବଗଡ଼ ଡିଭିଜନ ସମ୍ପାଦକ ଭୂପେନ୍ଦ୍ର ପ୍ରସାଦ ନାୟକ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ବିକାଶ ମିଶ୍ର, ସନ୍ତୋଷ କୁମାର, ପୂର୍ଣ୍ଣଚନ୍ଦ୍ର ଗଡ଼ନାୟକ, ହୃଦାନନ୍ଦ ଗଡ଼ନାୟକ, ରଞ୍ଜନ ପ୍ରଧାନ, ସତ୍ୟାନନ୍ଦ ସାହୁ, ଶିକର ସାହୁ, ନବକିଶୋର ବେହେରା, ସିଦ୍ଧେଶ୍ୱର ସାହୁ, ମାଧବ ସାହୁ, ପ୍ରଶ୍ନ ସାହାଣୀ, ଦମୟନ୍ତୀ ପ୍ରଧାନ, ସବିତା ସାହୁ, ଘଣ୍ଟି ପ୍ରଧାନ, ରୂପ ପ୍ରଧାନ, ଦୀପ୍ତି ପ୍ରଧାନ, ମିନତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
୧୦ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁପତ୍ର କର୍ମଚାରୀ ସଂଘର ଦାବିପତ୍ର
