ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନ ବିରୋଧୀ ନୀତି ଓ ପଦକ୍ଷେପର ପ୍ରତିବାଦରେ ୯ ଜୁଲାଇରେ ସାଧାରଣ ଧର୍ମଘଟ କରୁଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ସମୂହ। ଏହାକୁ ସଫଳ କରିବାକୁ ସୋମବାର ସନ୍ଧ୍ଯାରେ ଏନଟିପିସି କଣିହାଁ ସମ୍ମୁଖ ବାଇପାସ ଛକ ଠାରେ ଶ୍ରମିକ କର୍ମଚାରୀଙ୍କ ସଭା ଅନୁଷ୍ଠିତ ହୋଇଛି। ସଭାରେ ଏଆଇୟୁଟିୟୁସି ନେତା ଭିକାରୀ ପ୍ରଧାନ, ଜୟସେନ ମେହେର, ପ୍ରହ୍ଲାଦ ଚନ୍ଦ୍ର ସାହୁ, ସଦାଶିବ ସିଂହ, ପ୍ରତାପ ଚନ୍ଦ୍ର ସାହୁ, ଟୁନା ନାଏକ, ଦୁଃଖିଶ୍ଯାମ ମଲ୍ଲିକ, ଗନ୍ଧର୍ବ ନାଏକ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁନିଆ ନାଏକ, ସିଙ୍ଗେଶ୍ବର ସାହୁ, ନରେଶ ପ୍ରଧାନ, ବିରେନ୍ଦ୍ର ନାଏକ, ଆଇ.ଏନ୍.ଟି. ୟୁ. ସି ନେତା ସତ୍ୟାନନ୍ଦ ସାହୁ, ଶିବରାମ ଦାସ, ବସନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ୍ ବାତିଲ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୨ ବାତିଲ, ପ୍ରିପେଡ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇବା ବନ୍ଦ, ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ନିର୍ଦ୍ଧାରଣ କରିବା, ପୁରୁଣା ପେନସନ ସ୍କିମ ପୁନଃପ୍ରଚଳନ କରିବା ଆଦି ୧୭ ଦଫା ଦାବି ରହିଛି। ଦେଶବ୍ଯାପୀ ଏହି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ। ଏଥିରେ ଏନଟିପିସି କଣିହାଁର ସ୍ଥାୟୀ କର୍ମଚାରୀ ଓ ଠିକାଶ୍ରମିକ , ଜେଆଇଟିପିଏଲ୍ କର୍ମଚାରୀ ଓ ଠିକାଶ୍ରମିକ ଏବଂ ଏନଟିପିସି ଓ କଣିହାଁର ସମସ୍ତ ସରକାରୀ ଅଫିସ- ବ୍ଯାଙ୍କ -ଟେଲିକମ୍- ଡାକ ଘର କର୍ମଚାରୀ ସାମିଲ ହେବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏବଂ ଫେଡେରେସନ ଓ ଆସୋସିଏସନ ସମୂହଙ୍କ ମିଳିତ ମଞ୍ଚ ନିବେଦନ କରିଛି।