ବଢ଼ୁଛି କନିଷ୍ଠ ଯନ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ସସପେନ୍ସ , ହତ୍ୟା କି ଆତ୍ମହତ୍ୟା ଖିଅ ଖୋଜୁଛି ପୋଲିସ

You are currently viewing ବଢ଼ୁଛି କନିଷ୍ଠ ଯନ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ସସପେନ୍ସ , ହତ୍ୟା କି ଆତ୍ମହତ୍ୟା ଖିଅ ଖୋଜୁଛି ପୋଲିସ

ଅନୁଗୁଳ: କନିଷ୍ଠ ଯନ୍ତ୍ରୀଙ୍କ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସସପେନ୍ସ ଉପରୁ ପରଦା ଉଠି ନାହିଁ। ଜ୍ୱାଇଁ ଆତ୍ମହତ୍ୟା କରିଥିବା ନେଇ ସ୍ତ୍ରୀ ଘର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ। ଏଣୁ ପୋଲିସ ଦ୍ବନ୍ଦ୍ବରେ ରହିଛି। ଆଜି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ମୃତ ଦେହକୁ ଓହ୍ଲାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ଅନୁସାରେ,କନିଷ୍ଠଯନ୍ତ୍ରୀ ପ୍ରଣତି ମାଝୀଙ୍କ ସ୍ବାମୀ ରଶ୍ମିରଞ୍ଜନ ବିଶ୍ୱାଳଙ୍କ ଝୁଲନ୍ତା ମୃତଦେହ ଗତକାଲି ବିଳମ୍ବିତ ରାତିରେ ଶିକ୍ଷକପଡାସ୍ଥିତ ଘର ଭିତରୁ ଉଦ୍ଧାର ହୋଇଥିଲା। ପ୍ରଣତିଙ୍କ ପରିବାର ଲୋକ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଶ୍ମିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରଶ୍ମିରଞ୍ଜନଙ୍କ ଘର କିଶୋରନଗର ଥାନା ଧଉରାପାଲି ଅଞ୍ଚଳରେ ହୋଇଥିବାରୁ ଆଜି ସକାଳେ ପରିବାର ଲୋକ ପହଞ୍ଚିଥିଲେ। କିନ୍ତୁ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏଣୁ ବାଧ୍ୟ ହୋଇ ପୋଲିସ ସାଇଣ୍ଟିଫିକ ଟିମର ସହାୟତା ଲୋଡ଼ିଥିଲା।

କନିଷ୍ଠଯନ୍ତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ,ତାଙ୍କ ଝିଅ ପୂର୍ବରୁ ବିବାହ କରିଥିବା ବେଳେ ଜ୍ଵାଇଁଙ୍କ ମୃତ୍ୟୁ ହୋଇଥିଲା। ଝିଅର ଗୋଟିଏ ଝିଅ ଓ ପୁଅ ଅଛନ୍ତି। ତାଙ୍କ ଝିଅ ଅନୁଗୁଳ ବ୍ଲକରେ କାମ କରୁଥିବା ବେଳେ ରଶ୍ମିରଞ୍ଜନଙ୍କ ସହ ପରିଚୟ ହୋଇ କ୍ରମେ ପ୍ରେମରେ ପରିଣତ ହୋଇଥିଲା। ଏଣୁ ରଶ୍ମିରଞ୍ଜନ ତାଙ୍କ ଘରେ ରହୁଥିଲେ। କିନ୍ତୁ ପରେ ଆର୍ଥିକ ସହାୟତା ଯୋଗାଇ ଦେବାରୁ ସେ ମେଡିସିନ ବ୍ୟବସାୟ କରୁଥିଲେ। କିଛି ଦିନ ହେଲା ରଶ୍ମିରଞ୍ଜନ ଅନେକ ସମୟରେ ମଦ୍ୟପାନ କରି ଘରେ ଝଗଡ଼ା କରୁଥିଲେ। ଗତକାଲି ମଧ୍ୟ ସେ ଝଗଡ଼ା କରିଥିବା ଜଣାପଡ଼ିଛି। ଆଉ ବିଳମ୍ବିତ ରାତିରେ ରଶ୍ମିରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।

ଅନ୍ୟପଟେ ରଶ୍ମିରଞ୍ଜନଙ୍କ ମା’ଙ୍କ କହିବା କଥା ତାଙ୍କ ପୁଅ କନିଷ୍ଠଯନ୍ତ୍ରୀଙ୍କୁ ବିବାହ ପରେ ଶ୍ୱଶୁର ଘରେ ଘର ଜ୍ବାଇଁ ହିସାବରେ ରହୁଥିଲେ। ହେଲେ ବେରୋଜଗାରିଆ ଯୋଗୁଁ ସବୁବେଳେ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ ରଶ୍ମିରଞ୍ଜନଙ୍କୁ ମାରି ଦେଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରିବା ପରେ ପୋଲିସ ତଦନ୍ତରେ ଭିନ୍ନ ମୋଡ଼ ନେଇଛି। ତେବେ ପ୍ରକୃତରେ ଘଟଣା କଣ ତାହା ପୋଲିସ ତଦନ୍ତ କରିବା ପରେ ଜଣାପଡ଼ିବ।

Share

Leave a Reply