ଅନୁଗୁଳରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

You are currently viewing ଅନୁଗୁଳରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଲକ୍ଷ୍ମୀ’ ବସ୍ ଯୋଜନା ଲୋକାର୍ପିତ କରିଛନ୍ତି। ଏହି ଯୋଜନା ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଯାଇଛି। ଜିଲ୍ଲାର ଅନୁଗୁଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର ବ୍ଲକରେ ୩ଟି ଲେଖାଏଁ ଓ ବଅଁରପାଳ, ପାଳଲହଡା ଓ ଆଠମଲ୍ଲିକ ବ୍ଲକରେ ୪ଟି ଲେଖାଏଁ ମୋଟ ୨୭ଟି ବସ୍ ଆଜିଠାରୁ ଗ୍ରାମ ପଞ୍ଚାୟତରୁ ବ୍ଲକକୁ ଚଳାଚଳ କରିବ।

ଏହି ଯୋଜନା ଦ୍ବାରା ମୁଖ୍ୟତଃ ମହିଳା, ଛାତ୍ରଛାତ୍ରୀ ଓ କୃଷକମାନେ ପଞ୍ଚାୟତରୁ ବ୍ଲକ ଏବଂ ବ୍ଳକରୁ ଜିଲ୍ଲା ସଦର ମହକୁମାକୁ ସୁବିଧାରେ ଓ କମ୍ ଖର୍ଚ୍ଚରେ ଯାଇପାରିବେ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଏହି ଯୋଜନା ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବ। ମହିଳାମାନେ କେବଳ ୫ ଟଙ୍କା ଟିକଟରେ ଗମନାଗମନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଢେଙ୍କାନାଳରେ ବିଧାୟକ ସୁଧୀର କୁମାର ସାମଲ, ଅନୁଗୁଳରେ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସଦାଶିବ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଆରକ୍ଷୀ ଅଧ୍ୟକ୍ଷକ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ପରିବହନ ଅଧିକାରୀ ନିର୍ମୂଳ କୁମାର ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଜନସାଧାରଣ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply