ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା: ମୋବାଇଲ ଆପ୍ ଜରିଆରେ ସଂଶୋଧନ ହେବ ଜମିପଟ୍ଟା

You are currently viewing ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା: ମୋବାଇଲ ଆପ୍ ଜରିଆରେ ସଂଶୋଧନ ହେବ ଜମିପଟ୍ଟା

ଅନୁଗୁଳ: ଏଣିକି ଘର ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବାକୁ ଯାଉଛି। ମୋବାଇଲ ଆପ୍ ମାଧ୍ୟମରେ ଖାନା -୨ ସଂଶୋଧନ କରିବା ସହ ମୃତ ରୟତ ମାନଙ୍କ ନାମ ଜମିପଟ୍ଟାରୁ ଆରମ୍ଭ କରି ନୂତନ ଭାବେ ଜୀବିତ ରୟତ ମାନଙ୍କ ନାମ ପଟ୍ଟାକୁ ଚଢ଼ିବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରତି ତହସିଲଦାର, ଜିଲ୍ଲାପାଳ, ଆରଡିସି ମାନଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି।ଅନୁଗୁଳରେ ମଧ୍ୟ ପ୍ରଶାସନ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି।
ପୂର୍ବରୁ ସରକାରଙ୍କର ଏହି ଯୋଜନା ରହିଥିବା ବେଳେ ଚଳିତ ବର୍ଷ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିବା ଜଣାଯାଇଛି। ଏହା ଦ୍ୱାରା ପଟ୍ଟାରେ ନାଁ ଉଠିଥିବା ଲୋକମାନେ ସହଜରେ ନିଜ ନାମ ଏଣ୍ଟ୍ରି କରାଇ ପାରିବେ। ଫଳରେ ଆଉ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି କି ଲୋକେ ଅଯଥା ଖର୍ଚ୍ଚାନ୍ତ ହେବେନି।

ସୂଚନାଯୋଗ୍ୟ ଯେ ପାଠପଢ଼ାରେ ହେଉ ଅବା କୌଣସି ନିଯୁକ୍ତି ନେଇ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ରୋଜଗାର ପ୍ରମାଣପତ୍ର ଆଦି ଅନେକ ସମୟରେ ଜମିପଟ୍ଟା ଆବଶ୍ୟକ ରହିଥାଏ। ତୃଣମୂଳ ସ୍ତରରୁ ପଟ୍ଟାଧାରୀଙ୍କ ଆୟ ଓ ସମ୍ପୂର୍ଣ୍ଣ ତଥ୍ୟ ଜମି ପଟ୍ଟାରେ ରହିଥାଏ। ଏହାକୁ ଭିତ୍ତି କରି ରାଜସ୍ୱ ନିରୀକ୍ଷକ ମାନେ ରିପୋର୍ଟ ପ୍ରସ୍ତୁତ କରି ଏହି ପ୍ରମାଣପତ୍ର ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିଥାନ୍ତି। ହେଲେ ବର୍ତ୍ତମାନ ଗୋଟିଏ ଗୋଟିଏ ପଟ୍ଟାର ୪ ପିଢ଼ିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଏ ତାଙ୍କର ଉତ୍ତରାଧିକାରୀ ସେ ନେଇ ଦ୍ୱନ୍ଦ୍ୱ ଉପୁଜୁଛି। ଏହି ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ମୋବାଇଲ ଆପ ମାଧ୍ୟମରେ ଖାନା-୨ ସଂଶୋଧନ କରିବେ। ପ୍ରତିପରିବାରର ଆଧାର ସିଡିଂ କରିବା ସହ ମୃତ ଲୋକ ମାନଙ୍କ ନାମ ପଟ୍ଟାରୁ କାଟିବା ସହ ତାଙ୍କ ବଂଶବଳୀ ଅନୁଯାୟୀ ଜୀବିତ ଲୋକଙ୍କ ନାମ ଏଥିରେ ରହିବ। ଯେଉଁଠି କୌଣସି ତଥ୍ୟ ମିଳିପାରୁନାହିଁ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ପରିବାରର ସଦସ୍ୟଙ୍କ ସତ୍ୟପାଠ ଅନୁଯାୟୀ ଏହାର ସଂଶୋଧନ କରାଯିବ ବୋଲି ସୂଚନା ମିଳିଛି।

Share

Leave a Reply