ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ ‘କନ୍ୟା ସଚେତନତା ରଥ’ ର ଶୁଭାରମ୍ଭ ହୋଇଛି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଅଭିଭାବକ, ଶିକ୍ଷକ ଏବଂ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ପାଳଲହଡ଼ା ଉପ-ଜିଲ୍ଲାପାଳ ରବୀନ୍ଦ୍ର ପଟେଲ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଗୌରୀଶଙ୍କର ବେହେରା, ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ, ବରିଷ୍ଠ ଆଇନଜୀବୀ ତନ୍ମୟ କୁମାର ସାହୁ, ମଣ୍ଡଳ ସଭାପତି ଆଶିଷ ସାମଲ, ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


