ଅନୁଗୁଳ: କୋଭିଡରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀ, କ୍ଷୁଦ୍ର ବେପାରି। ମାସ ମାସ କାଳ ବେପାର ବୁଡିଯାଇଛି। କାହାର ଜୀବନ ସହ ଜୀବିକା ବି ବିପଦରେ ପଡିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଠା ଦୋକାନିଙ୍କୁ ସହାୟତାର ହାତ ବଢ଼ାଇଥିବା ବେଳେ ଅନୁଗୁଳ ସହରର ପ୍ରାୟ ୨୫୦ ଉଠା ଦୋକାନୀ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି। ସୂଚନା ମୁତାବକ, ପୌରପାଳିକାରେ ସମୟେ ସମୟେ ଉଠା ଦୋକାନୀ ସର୍ଭେ କରାଯାଏ। ତାଲିକାରେ ଅନୁଗୁଳ ସହରର ୨୨୧ଜଣଙ୍କର ନାଁ ଥିଲା।କୋଭିଡର ପ୍ରଥମ ଲହରରେ ମୁଖ୍ୟମନ୍ତ୍ରୀ ଏହି ଉଠା ଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରିଥିଲେ | ଜଣପିଛା ତିନି ହଜାର ଟଙ୍କାର ସହାୟତା ରାଶି ଆସିଥିଲା। କିନ୍ତୁ, ୨୨୧ ଜଣଙ୍କ ମଧ୍ୟରୁ ୧୮୩ଜଣ ଏହି ସହାୟତା ଗ୍ରହଣ କରିଥିଲେ। ବିଭିନ୍ନ କାରଣ ପାଇଁ ଅନ୍ୟମାନେ ସହାୟତା ନେଇ ପାରିଲେ ନାହିଁ। ପରବର୍ତୀ ସମୟରେ କେନ୍ଦ୍ର ସରକାର ଉଠାଦୋକାନୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଆରମ୍ଭ କଲେ। ଯେଉଁଥିରେ ୧୦ହଜାର ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ବ୍ୟବସ୍ଥା ଥିଲା। କିଛି ମାସ ପାଇଁ ଏହା ସୁଧ ଟଙ୍କା ସବସିଡ଼ି ଆକାରରେ ସରକାର ଦେବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଅନୁଗୁଳ ସହରର ୬୮ଜଣ ଲୋକ ସାମିଲ ହୋଇ ଋଣ ଉଠାଇଛନ୍ତି। କୋଭିଡର ଦ୍ବିତୀୟ ଲହରରେ ଉଠା ଦୋକାନୀ ପାଇଁ ଓଡିଶା ସରକାର ସମାନ ସହାୟତା ରାଶି ଘୋଷଣା କରିଥିବା ବେଳେ ଗତଥର ପ୍ରଥମ ଲହରରେ ଓଡିଶା ସରକାରଙ୍କ ଠାରୁ ପାଇଥିବା ୧୮୩ ଜଣ ଦୋକାନୀ ଏବଂ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଋଣ ଉଠାଇ ଥିବା ୬୮ଜଣ ଦୋକାନୀଙ୍କୁ ମିଶାଇ ଦ୍ବିତୀୟ ଲହରରେ ମୋଟ ୨୫୧ଜଣଙ୍କୁ ତିନିହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ପୌରପାଳିକା ସୂତ୍ରରୁ ଜଣା ପଡ଼ିଛି।
କୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା
- Post published:June 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
