ଭୁବନେଶ୍ୱର: ଓଡ଼ିଶା ବଜାରରେ ବିକ୍ରି ହେଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ କମ୍ପାନୀ ନିମ୍ନମାନର କ୍ଷୀର ବିକ୍ରି କରୁଥିବା ନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ସରକାରୀ ସଂସ୍ଥା ଓମଫେଡ୍ ବ୍ୟତୀତ ପ୍ରାୟ ୨୨ଟି ଘରୋଇ କମ୍ପାନୀ ଦୁଗ୍ଧ ବ୍ୟବସାୟ କରୁଛନ୍ତି। ଏହି ୨୨ଟି ସଂସ୍ଥା ମଧ୍ୟରୁ ୧୦ଟି କମ୍ପାନୀ ରାଜ୍ୟ ଭିତରର ହୋଇଥିବା ବେଳେ ୧୨ଟି କମ୍ପାନୀ ରାଜ୍ୟ ବାହାରର ରହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଏହି ସବୁ କମ୍ପାନୀଗୁଡ଼ିକର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରିବା ଦାୟିତ୍ୱ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଖାଦ୍ୟ ସୁରକ୍ଷା କମିଶନରେଟ୍ (FSSAI) ଉପରେ ନ୍ୟସ୍ତ କରାଯାଇଛି। ୨୦୨୫ ମସିହାରେ କରାଯାଇଥିବା ଯାଞ୍ଚ ଅନୁଯାୟୀ, ଏହି ୨୨ଟି କମ୍ପାନୀରୁ ମୋଟ ୮୮ଟି ନମୁନା ବା ସାମ୍ପଲ୍ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା। ସେଥିମଧ୍ୟରୁ ୮୦ଟି ନମୁନା ମାନଦଣ୍ଡ ଅନୁଯାୟୀ ଠିକ୍ ମିଳିଥିବା ବେଳେ ୮ଟି ନମୁନା ଅତି ନିମ୍ନମାନର ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଖାଉଟିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ସରକାର ଏହି ଦିଗରେ କଡ଼ା ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


