ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ଆରମ୍ଭ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଗ୍ରାମର ସାମନ୍ତ ସାହିରେ ଥିବା “ମା’ଙ୍କ ବିଜେ ପ୍ରତିମା” ସୁସଜ୍ଜିତ “ଆଲମ” କୁ ଘଣ୍ଟ, ଘଣ୍ଟା, ଖୋଳ, କରତାଳ, ଢୋଲ, ମହୁରୀ, ନିଶାଣ ଓ ମାଦଳ ବାଦ୍ଯର ଏକ ବିରାଟ ଶୋଭାଯାତ୍ରାରେ ବାହାର କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ମା’ଙ୍କ ବିଜେ ପ୍ରତିମା ‘ଆଲମ’ ସମ୍ମୁଖରେ ପାଇକମାନେ ସେମାନଙ୍କର ସାମରିକ ଅସ୍ତ୍ରଶସ୍ତ୍ର ଖଣ୍ଡା, ଢାଲ, ବାଡ଼ି, ବର୍ଚ୍ଛା, ଧନୁ ଏବଂ ତୀର ଇତ୍ୟାଦି ଧାରଣ କରି ବୀରଦର୍ପରେ ଚାଲୁଥିଲେ। ଗ୍ରାମ ପରିକ୍ରମା ପରେ ପୀଠର ଆସ୍ଥାନ ଉପରେ ‘ଆଲମ’ କୁ ବିଜେ କରାଯିବା ପରେ ପୂଜକ ଭାଗିରଥି ଦେହୁରୀ ଏବଂ ସହଯୋଗୀ ନୀର ଦେହୁରୀ, କଇରା ଦେହୁରୀ ଏବଂ ପରୀ ଦେହୁରୀଙ୍କ ସହଯୋଗରେ ପ୍ରଥମ ପୂଜାନୀତି ମାଜଣା କରାଯାଇଥିଲା। ପ୍ରଥମ ପୂଜାନୀତି ପରେ କିଛି ଗ୍ରାମବାସୀ ମା’ଙ୍କ ଆଜ୍ଞାମାଳ ନେଇ “ପତିଆର”କୁ ଡାକିବାକୁ ଯାଇଥିଲେ। ସେଠାରେ ଅନ୍ୟ ଜଣେ ପୂଜକ ଷୋଡ଼ଶ ଉପଚାରରେ ପୂଜା କରି ଘଣ୍ଟ, ଘଣ୍ଟା, ଢୋଲର ବାଦ୍ଯ ନାଦରେ ମା’ଙ୍କୁ ପତିଆର ଦେହରେ ଆବିର୍ଭୂତା କରାଇଥିଲେ। ମା’ଙ୍କ ଆବିର୍ଭାବ ପରେ (ପତିଆର) “କାଳେସୀ” କୁ ସେହି ବାଦ୍ଯ ନାଦର ତାଳେ ତାଳେ ପୂଜା ମଣ୍ଡପକୁ ଆଣିଥିଲେ। ଏ ଅବସରରେ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଜ୍ଞାନୀ ମହାପାତ୍ର, ବିଦ୍ୟା ସିଂ, ମୁନା ବେହେରା, ଜ୍ୟୋତିରଞ୍ଜନ ମହାପାତ୍ର, ସୁରେନ ଦେହୁରୀ, ରିଙ୍କୁ ଦାସ, ଋଷି ସାହୁ, ଦିଲୁ ଦାସ, ତୁଷାର ଦାସ, ଚନ୍ଦନ ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଣୀଗୋଡ଼ାରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ବିରାଟ ଶୋଭାଯାତ୍ରାରେ ବୁଲିଲା ମା’ଙ୍କ ବିଜେ ପ୍ରତିମା
