ଅନୁଗୁଳ: ମହାଶିବରାତ୍ରି ଅବସରରେ ଚାରି ଆଡ଼ ଶିବମୟ। ଘରଠୁ ମନ୍ଦିର ଯାଏଁ ସବୁଆଡ଼େ ଶୁଭୁଛି ଓଁ ନମଃ ଶିବାୟ ଧ୍ୱନି। ମହାଦେବଙ୍କ ନାଁରେ ଗୁଞ୍ଜରିତ ହେଉଛି ଗଗନ ପବନ। ଅନୁଗୁଳରେ ମଧ୍ୟ ଭୋଲେନାଥଙ୍କ ଭକ୍ତିରେ ତଲ୍ଲୀନ ହୋଇଛନ୍ତି ଆବାଳ ବୃଦ୍ଧ ବନିତା। ସହର ତଥା ଆଖପାଖ ଅଞ୍ଚଳରେ ଥିବା ଶୈବପୀଠ ମାନଙ୍କରେ ବୁଧବାର ମହାଆଡମ୍ବରରେ ଜାଗର ଯାତ୍ରା ପାଳିତ ହୋଇଛି। ଶୈଳ ଶ୍ରୀକ୍ଷେତ୍ର ନିକଟର ଶିବ ମନ୍ଦିର, ପିଟିସି, ପ୍ରସିଦ୍ଧ ମଝିକା ଓ ଅନୁଗୁଳ ବ୍ଲକ ଅଧୀନରେ ଯାଉଥିବା ନୂଆଁସାହି, ପୋକତୁଙ୍ଗା, ବଲାସିଙ୍ଗା, ଚଣ୍ଡୀଖମଣ, ପୁରୁଣାଗଡ଼, ତୁମୁଣି ଆଦି ଗାଁରେ ଥିବା ଶିବ ମନ୍ଦିର ଗୁଡିକରେ ଜାଗର ପାଳିତ ହୋଇଛି।
ଏ ଅବସରରେ ସମସ୍ତ ଦେବାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲୋକମାନେ ହାତରେ ଭୋଗ ଡାଲା ସହ କଞ୍ଚା କ୍ଷୀର ଓ ଶିବଙ୍କ ପ୍ରିୟ ବେଲପତ୍ର ଦୁଦୁରା ଫୁଲକୁ ନେଇ ମହାଦେବଙ୍କୁ ଲାଗି କରିଥିଲେ।
ସେହିପରି ମଝିକା ସ୍ଥିତ ପ୍ରସିଦ୍ଧ ବାବା ମଲ୍ଲିକେଶ୍ବରଙ୍କ ଶୈବପୀଠରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ ଧାଡି ଲମ୍ବାଇଥିବା ଦେଖାଯାଇଥିଲା। ଲୋକଙ୍କ ବିଶ୍ୱାସ ଏଠାରେ ବାଣଲିଙ୍ଗ ସ୍ୱୟଂଭୁ ହୋଇଥିବା କାରଣରୁ ମାନସିକ ପୂରଣ କରିଥାନ୍ତି। ଏଣୁ ଭକ୍ତ ଓ ଶ୍ରଦ୍ଧାଳୁ ଏଠାରେ ମହାଦେବଙ୍କ ଆରାଧନା କରିଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ପୋକତୁଙ୍ଗା ସ୍ଥିତ ରଣେଶ୍ୱର ମହାଦେବଙ୍କ ପୀଠରେ ଜାକଜମକରେ ମହାଶିବରାତ୍ରି ପାଳିତ ହୋଇଛି। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ବନ୍ତଳା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୪ ହଜାରରୁ ଅଧିକ ବ୍ରତଧାରୀ ଉଜାଗର ରହି ଦୀପ ଜଳିବା ସହ ପ୍ରଭୁଙ୍କ ମହାଦୀପ ଦର୍ଶନ କରିଥିଲେ।
ଜିଲ୍ଲାର ଅନ୍ୟତମ ଶୈବ ପୀଠ ଅନୁଗୁଳ ରାଜା ସୋମନାଥ ସିଂହଙ୍କ ଦ୍ଵାରା ପ୍ରତିଷ୍ଠିତ ପୁରୁଣାଗଡ଼ ସ୍ଥିତ ସ୍ବପ୍ନେଶ୍ୱର ଓ ସୋମନାଥ ମନ୍ଦିରରେ ମଧ୍ୟ ଧୁମଧାମରେ ଜାଗର ଯାତ୍ରା ପାଳିତ ହୋଇଛି। ପୂଜାପାଠ ପରେ ଭକ୍ତ ମାନେ ଦୀପ ଜାଳି ପ୍ରଭୁଙ୍କ ଆଶିଷ ଲାଭ ପାଇଁ ବ୍ରତ ରଖିଥିଲେ।
ସେହିପରି କୁମୁରିସଂହା ସ୍ଥିତ ପ୍ରଭୁ ଧବଳେଶ୍ବରଙ୍କ ପୀଠରେ ଶିବରାତ୍ରି ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ବହୁ ସଂକୀର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ। ଅନ୍ୟ ପୀଠ ମଧ୍ୟରେ ଗଡ଼ତରାସର ନୀଳକଣ୍ଠେଶ୍ୱର, ତୁମୁଣିର କୁକୁଟେଶ୍ୱର ଓ ତୁବେ ସ୍ଥିତ ପ୍ରଭୁ ତାରକେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।