ଆଠମଲ୍ଲିକ: ଜାତିଆଣ ଆକ୍ଷେପ କରି ସାଦା ପୋଷାକଧାରୀ ପୋଲିସ ଜଣେ ଅନୁସୂଚିତ ଜାତିର ମହିଳାଙ୍କ ଘରେ ପଶି ତାଙ୍କୁ ଘୋଷାଡ଼ି ଆଣି ବାହାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏନେଇ ପୀଡିତାଙ୍କ ଝିଅ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କୁ ଅଭିଯୋଗ କରିଛନ୍ତି। ପୋଲିସ ମାଡ଼ରେ ଏବେ ପୀଡିତା ମହିଳା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ସୂଚନା ମୁତାବକ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ୭ ନମ୍ବର ୱାର୍ଡର ଅନୁସୂଚିତ ଜାତିର ମହିଳାମାନଙ୍କୁ ସ୍ଥାନୀୟ ଥାନା ଅଧିକାରୀ ନିରୋଦ କୁମାର ଦାସ ଓ ଅନ୍ୟ ପୋଲିସ ଅଧିକାରୀ ସାଦା ପୋଷାକରେ ଯାଇ ଘର ଭିତରୁ ଘୋଷାଡ଼ି ଆଣି ପଡିଆରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଗୁରୁବାର ଅପରାହ୍ନରେ ଆଠମଲ୍ଲିକ ଏନଏସି ୭ ନମ୍ବର ୱାର୍ଡର ବନମାଳୀ ମୁଖି, ସ୍ତ୍ରୀ କାଜଲ ମୁଖି, ଝିଅ ଅର୍ଚ୍ଚିତା ଓ ପୁଅ ମିଥୁନ ଘରେ ଥିବା ସମୟରେ ଆଠମଲ୍ଲିକ ଥାନା ଅଧିକାରୀ ନିରୋଦ କୁମାର ଦାସ, ଏଏସଆଇ ନିରୋଜ କୁମାର ବେହେରା, ଏଏସଆଇ ମିଥୁନ ମହାଳିକ ଓ ଗୃହରକ୍ଷୀ ପ୍ରିୟରଞ୍ଜନ ସେଠି ଘର ଭିତରେ ପଶି ଅସଭ୍ୟ ଭାଷାରେ ଜାତି ଆକ୍ଷେପ କରି ଗାଳିଗୁଲଜ କରିବା ସହ ଗୋଡ଼ାଇ ଗୋଡ଼ାଇ ମାରପିଟ କରିଥିବା ଅର୍ଚ୍ଚିତା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କୁ ଅଭିଯୋଗ କରିଛନ୍ତି। ତାଙ୍କ ମା’ କାଜଲ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଅର୍ଚ୍ଚିତାଙ୍କ ସମେତ ୱାର୍ଡବାସୀ ନ୍ୟାୟ ଆଶାରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଖବର ଲେଖା ହେବା ପର୍ଯ୍ୟନ୍ତ ଶୀତ କାକରରେ ଅପେକ୍ଷା କରିଥିବା ଜଣାଯାଇଛି।