ଆଜି ପୁଣ୍ୟ ତିଥି: ଛାଇ ଆଲୁଅ ଖେଳର ରାଜା: ଛାୟା ରାଜୁ

0

ଅନୁଗୁଳ: ନବେ ଦଶକର ଆରମ୍ଭ ବେଳକୁ ଅନୁଗୁଳରେ ଦୁଇଟି ପ୍ରିଣ୍ଟ ମିଡ଼ିଆ ବିଶେଷ ଚର୍ଚ୍ଚାରେ ରହିଥିଲା। ସମାଜ ଏବଂ ପ୍ରଜାତନ୍ତ୍ର।ସେତେବେଳେ ପ୍ରଜାତନ୍ତ୍ର କେବଳ ଅନୁଗୁଳ କାହିଁକି ସମଗ୍ର ରାଜ୍ୟରେ ତାହାର ସ୍ଵତନ୍ତ୍ର ଖବର ପରିବେଷଣ ଶୈଳୀ ବ୍ୟତୀତ ଫଟୋଗ୍ରାଫି ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା।

ଏହି ଫଟୋଗ୍ରାଫି ଧାରାର ନେତୃତ୍ଵ ନେଇଥିଲେ ଜଣେ ଅନୁଗୁଳିଆ। ନାଁ ରାଜେନ୍ଦ୍ର ସାମଲ। ‘ଛାୟା ରାଜୁ’ ପରିଚୟୋକ୍ତିରେ ପ୍ରଜାତନ୍ତ୍ରର ପ୍ରଥମ ପୃଷ୍ଠାରେ ତାଙ୍କର ଯେଉଁ ଫଟୋ ପ୍ରକାଶିତ ହେଉଥିଲା ତାହା ଦେଖିବାପାଇଁ ପାଠକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଥିଲା ସମାଜର ନିତି ଦିନିଆ ଘଟଣାରେ ରହିଥିବା ତୃଟି ବିଚ୍ୟୁତି,ଦୁର୍ନୀତି,ମାନବିକତାର ସାର୍ବଜନୀନ ଆବେଦନକୁ ନେଇ ଫଟୋ ଟିଏ ଥିବ ଏବଂ ତା’ ତଳକୁ ମନଛୁଆଁ ଦୁଇ ପଦି କବିତା।

ରାଜେନ୍ଦ୍ର ସାମଲ ପ୍ରଜାତନ୍ତ୍ରର ଷ୍ଟାଫ୍ ଫଟୋଗ୍ରାଫର ଭାବେ ଓଡ଼ିଶାରେ ବେଶ୍ ସୁନାମ ଅର୍ଜନ କରିଥିଲେ। ବରିଷ୍ଠ ସାମ୍ବାଦିକ ବିଜୟ ମଲ୍ଲ,ଚନ୍ଦ୍ରଭାନୁ ପଟ୍ଟନାୟକ,ଅସିତ ମହାନ୍ତି ରାଜେନ୍ଦ୍ର ସାମଲଙ୍କ ଫଟୋଗ୍ରାଫିର ବଡ଼ ପ୍ରଶଂସକ ଥିଲେ। ଅନୁଗୁଳର ଜଙ୍ଗଲ,ପରିବେଶ,ପର୍ବ ପର୍ବାଣୀ ତାଙ୍କର କ୍ୟାମେରା ଲେନ୍ସରେ ଚମତ୍କାର ଭାବେ ଫୁଟି ଉଠୁଥିଲା।

ଏକ ସ୍ଵାଭିମାନୀ ହୃଦୟ ରଖିଥିବା ରାଜେନ୍ଦ୍ର ଏ ଟିଭି ପ୍ରତିଷ୍ଠା କରିଥିଲେ। କେବୁଲ ଯୋଗେ ପ୍ରସାରିତ ହେଉଥିବା ଏହି ମିଡ଼ିଆ ଅଳ୍ପ ଦିନ ଭିତରେ ଅନୁଗୁଳର ଘରେ ଘରେ ଲୋକପ୍ରିୟତା ଅର୍ଜନ କରିଥିଲା। ତାଙ୍କର ଅକାଳ ବିୟୋଗ ଖାଲି ଅନୁଗୁଳ ନୁହେଁ ସମଗ୍ର ରାଜ୍ୟରେ ଫଟୋଗ୍ରାଫି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା।

ତାଙ୍କର ଆଶୀର୍ବାଦରେ ଆଜି ଅନୁଗୁଳ ଟିଭି ୱେବ୍ ପୋର୍ଟାଲ ଭାବେ ପନ୍ଦର ହଜାରରୁ ଉର୍ଦ୍ଧ୍ବ ଫଲୋଅର ସୃଷ୍ଟି କରିପାରିଛି। ସ୍ବର୍ଗତ ସାମଲଙ୍କ ପୁଣ୍ୟ ତିଥିରେ ଅନୁଗୁଳ ଟିଭି ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

Leave A Reply

Your email address will not be published.

error: Content is protected !!