ପାଳଲହଡ଼ା: ପାଳଲହଡା ସଦର ମହକୁମାର ଷ୍ଟାଡିୟମଠାରେ ଆସନ୍ତା ୩ରୁ ୭ତାରିଖ ପର୍ଯ୍ୟନ୍ତ ତୃତୀୟ ମାଲ୍ୟଗିରି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି।
ମହୋତ୍ସବ ପାଇଁ ଆଜି ପାଳଲହଡା ଅଞ୍ଚଳର ବିଭିନ୍ନ ଦେବାଦେବୀ ଓ ଶୈବପୀଠରୁ ଏକା ସାଙ୍ଗେ ମଶାଲ ଶୋଭାଯାତ୍ରା ବାହାରି ପାଳଲହଡା ସଦର ମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଛି। ଆଜି ପାଳଲହଡାର ଖୁଲୁଡି ସ୍ଥିତ ବାବା ଗିରିଶ୍ୱର ଶୈବ ପୀଠରୁ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଓ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତିଙ୍କ ନେତୃତ୍ବରେ ପୂଜାର୍ଚ୍ଚନା କରାଯାଇ ଝାରବେଡା, କନ୍ତଳା, ଡାଲ ଛକ, ବନ୍ଧାଭୂଇଁ ପଞ୍ଚାୟତର ସିଆରିଆ, ନାଇକାଣିପାଲି, ସୁବର୍ଣ୍ଣପାଲି ଛକ ହୋଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।
ସେହିପରି ପବିତ୍ରପୁର ଶିବ ମନ୍ଦିରରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ୨୨ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବୁଦ୍ଧୁରାମ ବୈପାଇଙ୍କ ନେତୃତ୍ବରେ ପବିତ୍ରପୁର ଶିବ ମନ୍ଦିରରୁ ମଶାଲକୁ ପୂଜାର୍ଚ୍ଚନା କରାଯାଇ ବନବିରା ପାହାଡ଼ ଦେଇ ଚଷାଗୁରୁଜାଙ୍ଗ, ଶୁଶବ, ଫପଣ୍ଡ, ବାଲିପଶି ଶିଗଡ ଦେଇ ପାଳଲହଡା ଶିବ ମନ୍ଦିରରେ ପହଞ୍ଚି ଥିଲେ। ସେଠାରୁ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ ଦେଇ ଜଗନ୍ନାଥ ମନ୍ଦିରରେ ମଶାଲ ଶୋଭାଯାତ୍ରା ପହଞ୍ଚିଥିଲା।
ସେହିପରି ମାଲ୍ୟଗିରି ପାଦ ଦେଶରେ ଥିବା ଶିବ ମନ୍ଦିରରୁ ପାଳଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡା ଈଶ୍ୱର ନଗର ପଞ୍ଚାୟତର ସମିତି ସଭ୍ୟା ମାମାଲି ପଣ୍ଡାଙ୍କ ନେତୃତ୍ବରେ ମଶାଲ ଶୋଭାଯାତ୍ରା ବାହାରି ଈଶ୍ୱରନଗର, ଟମ୍ପର, ଉଦୟପୁର ଛକ, ବତିସୀମା, ଡିମିରିଆ, ଝିମିରିପାଲି, ଗୁଣ୍ଡିଚା ମନ୍ଦିର ଦେଇ ପାଳଲହଡା ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।
ସେହିଭଳି ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ପାଳଲହଡା ବ୍ଲକ୍ ସଭାପତି ଗଙ୍ଗାଧର ଜିତ ଓ ଢେଙ୍କାନାଳର ସାଂସଦଙ୍କ ପ୍ରତିନିଧି ଅଜିତ କୁମାର ବେହେରାଙ୍କ ନେତୃତ୍ବରେ ରୋହିରା ପଞ୍ଚାୟତ ମଗରମୁହାଣ ଉଷ୍ମ ପ୍ରସବଣ ସ୍ଥିତ ମନ୍ଦିରରେ ମଶାଲକୁ ପୂଜାର୍ଚ୍ଚନା କରାଯାଇ ଇଞ୍ଜିଡି, ମୁଣ୍ଡୁରିବେଡା, ଖମାର, ଖେମଳା ଗ୍ରାମ ମଧ୍ୟ ଦେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ଶେଷରେ ବିଧାୟକଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ଭୁକ୍ତା ଓ ନିଜିଗଡ ସରପଞ୍ଚ ଶଶିଭୂଷଣ ଆଚାର୍ଯ୍ୟଙ୍କ ନେତୃତ୍ବରେ ରଜଡଙ୍ଗ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବଡ଼ ବାଲିପଶି, କଣ୍ଟିଆପଶି, ଖମାର, ଶଙ୍ଖମୁର, ଗାରଡମୁଣ୍ଡା, ସହରଗୁରୁଜାଙ୍ଗ ବତିସୂଆ ନୂଆ ସାହି ଦେଇ ଗୁଣ୍ଡିଚା ମନ୍ଦିର ହୋଇ ମଶାଲ ଶୋଭାଯାତ୍ରା ଶିବ ମନ୍ଦିରରେ ପହଞ୍ଚି ଥିଲା।
ଆଜି ଜଗନ୍ନାଥ ମନ୍ଦିରରେ ସୁରକ୍ଷା ମଧ୍ୟରେ ମଶାଲକୁ ରଖା ଯାଇଥିବା ବେଳେ ଆସନ୍ତାକାଲି ପାଳଲହଡା ପରିକ୍ରମା କରି ପାଳଲହଡା ଷ୍ଟାଡିୟମ ସ୍ଥିତ ମାଲ୍ୟଗିରି ମହୋତ୍ସବ ସ୍ଥଳରେ ସ୍ଥାପନ କରାଯିବ ବୋଲି ମାଲ୍ୟଗିରି ମହୋତ୍ସବ କମିଟି ସଭାପତି ତଥା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ସୂଚନା ଦେଇଛନ୍ତି।