ଅନୁଗୁଳ: ମରୁଡିର ସ୍ଥାୟୀ ପ୍ରତିକାର ପାଇଁ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ସରକାରଙ୍କ ଉଦାସୀନତା ଓ ଅବହେଳା ପ୍ରତିବାଦରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ତରଫରୁ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଠାରୁ ଅହୋରାତ୍ର ଗଣଧାରଣା ଆରମ୍ଭ ହୋଇଛି । ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି କିଶୋରନଗର ତରଫରୁ ସ୍ଥାନୀୟ କୃଷିଜୀବୀ ଜନସାଧାରଣଙ୍କ ଦାବିପୂରଣ ପାଇଁ ବିଭିନ୍ନ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ, ବ୍ଳକ ଓ ଜିଲ୍ଲା ପ୍ରଶାସନ, ଜନପ୍ରତିନିଧୁ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର ସରକାରଙ୍କ ଅବହେଳା ଓ ଉଦାସୀନତା ପ୍ରତିବାଦରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା ଦିଆଯିବାକୁ କମିଟି ତରଫରୁ ନିଷ୍ପଭି ନିଆଯାଇଥିବା ସୂଚନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କମିଟି ସଭାପତି ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅନନ୍ତ ଚରଣ ପ୍ରଧାନ, ରମଣୀ ରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ପିତାମ୍ବର ପ୍ରଧାନ, ହୃଦାନନ୍ଦ ବିଶ୍ଵାଳ, ସୁବାସ ପ୍ରଧାନ, ରଞ୍ଜିତ ପ୍ରଧାନ, ସରୋଜିନୀ ନାୟକ, ସୁରୁଚି ପ୍ରଧାନ, ରତ୍ନାକର ପ୍ରଧାନ ପ୍ରମୁଖ ଯୋଗଦେଇ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବାରେ ଜଳସମ୍ପଦ ବିଭାଗ ଓ ସରକାରଙ୍କ ଅବହେଳା ଏବଂ ଉଦାସୀନତାକୁ ସମାଲୋଚନା କରିଥିଲେ। ସରକାରଙ୍କ ଦାୟିତ୍ୱହୀନତା ଓ ଦୂରଦୃଷ୍ଟି ଅଭାବରୁ ସ୍ଥାନୀୟ କୃଷିଜୀବୀ ଜନସାଧାରଣ ମରୁଡି ପରିସ୍ଥିତିର ସମ୍ମୁଖୀନ ହେଉଥିବା କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା।
ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା
- Post published:October 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
