ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୁଲି ଦେଖିଲେ ତାଳଚେରର ବିଭିନ୍ନ ପ୍ରକଳ୍ପ
ଅନୁଗୁଳ/ତାଳଚେର: ତିନିଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗସ୍ତର ଅନ୍ତିମ ଦିନରେ ଶୁକ୍ରବାର ସେ ତାଳଚେରରେ ପହଞ୍ଚିଛନ୍ତି। ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିସ୍ଵରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଅବସରରେ ସେ ଦେବୀଙ୍କୁ ଦର୍ଶନ କରିଥିଲେ । ମା’ଙ୍କ ଉଦ୍ଭାସ୍ଥଳରେ ପୂଜାର୍ଚ୍ଚନା କରିବା ସହ ସେ ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗସ୍ତ ବେଳେ କେନ୍ଦ୍ର ମନ୍ତ୍ରୀ ସିଙ୍ଗଲ ୟୁକ୍ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି। ସେହିପରି ତାଳଚେର ବୃକ୍ଷରୋପଣ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ ।
ପରେ କେନ୍ଦ୍ର ମନ୍ତ୍ରୀ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ପରିଦର୍ଶନ କରିଥିଲେ। ଏ ଅବସରରେ ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡ଼ିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାମରେ ଏମସିଏଲ ସହଯୋଗ କରିଥିବାରୁ ସେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାଧୁବାଦ ଜଣାଇଥିଲେ।
ଏହା ପରେ କେନ୍ଦ୍ରମନ୍ତ୍ରୀ ତାଳଚେରର ପୁରୁଣା ଆରଟିଓ ବିଲଡିଂ ଠାରେ ଅନ୍ୟ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ପରଦର୍ଶନ କରିଥିଲେ। ଏହା ପରେ ସେ ଡେରା ପଞ୍ଚାୟତର ନିର୍ମାଣାଧୀନ କୋଲିୟରୀ ହାଇସ୍କୁଲ ବୁଲି ଦେଖିଥିଲେ।
ଗସ୍ତ ଅବସରରେ ଶ୍ରୀ ପ୍ରଧାନ ସ୍ଥାନୀୟ ବିଜୁ ପଟ୍ଟନାୟକ କୌଶଳ ପ୍ରଶିକ୍ଷକ ତାଲିମ କେନ୍ଦ୍ରକୁ ଗସ୍ତ କରିଥିଲେ। ଏ ଅବସରରେ ସେ କହିଥିଲେ ଯେ ଯୁବପିଢି ଆମ ଦେଶର ଭବିଷ୍ୟତ। ଏଣୁ ସେମାନଙ୍କ ଭବିଷ୍ୟତକୁ ସୁଧାରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ଶିଳ୍ପସଂସ୍ଥା ଗୁଡ଼ିକ ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି-ସ୍କିଲିଂର ଗୁରୁତ୍ଵକୁ ବୁଝିଛନ୍ତି। ଏହାଦ୍ବାରା ପିଲାମାନେ ଆଗକୁ ଉତ୍ତମ ଭବିଷ୍ୟତ ଗଢ଼ିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।