ଆଇଏଏସ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଅନିମେଶ ପ୍ରଧାନଙ୍କୁ ସମ୍ମାନିତ କଲା ଏମସିଏଲ

You are currently viewing ଆଇଏଏସ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଅନିମେଶ ପ୍ରଧାନଙ୍କୁ ସମ୍ମାନିତ କଲା ଏମସିଏଲ

ତାଳଚେର: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୩ରେ ସର୍ବଭାରତୀୟ ର‌୍ୟାଙ୍କ-୨ ହାସଲ କରିଥିବା ତାଳଚେର ଅଞ୍ଚଳର ଅନିମେଶ ପ୍ରଧାନଙ୍କୁ ଏମସିଏଲ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ଏମସିଏଲ କଳିଙ୍ଗ ଡିଏଭି ବିଦ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ଏମସିଏଲର ବୈଷୟିକ ତଥା ପରିଚାଳନା ନିର୍ଦ୍ଦେଶକ, ଜେ.କେ ବୋରା ଯୋଗ ଦେଇ ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଛନ୍ତି।

କାର୍ଯ୍ୟକ୍ରମରେ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ମେହମୁଦ ମିୟାଁ, ଡିଏଭି କଳିଙ୍ଗ ପ୍ରିନ୍ସପାଲ ସୁରେନ୍ଦ୍ର କୁମାର ଭୋଇ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏ ଅବସରରେ ଶ୍ରୀ ପ୍ରଧାନ ତାଙ୍କ ଅନୁଭୂତି ବାଣ୍ଟି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ଶିକ୍ଷାନୁଷ୍ଠାନରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ‘ମୋର ଶିକ୍ଷାଗତ ଯାତ୍ରାରେ ଏମସିଏଲ କ୍ରମାଗତ ଭାବରେ ଏକ ମାର୍ଗଦର୍ଶକର କାର୍ଯ୍ୟ ତୁଲାଇଛନ୍ତି, ଏବଂ ତାଙ୍କର ଆକାଂକ୍ଷାକୁ ବଢ଼ାଇବାରେ ତାଙ୍କ ସ୍କୁଲ ଏବଂ ଏମସିଏଲ ଉଭୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।’

ସୂଚନାଯୋଗ୍ୟ, ଅନିମେଶ ପ୍ରଧାନ ହେଉଛନ୍ତି ଏମସିଏଲ ଭରତପୁର ପ୍ରକଳ୍ପ କାର୍ଯ୍ୟାଳୟର ପୂର୍ବତନ ଆକାଉଣ୍ଟାଣ୍ଟ କିରାଣୀ ସ୍ୱର୍ଗତା ଅରୁଣା ପ୍ରଧାନଙ୍କ ପୁଅ ତଥା ଡିଏଭି କଳିଙ୍ଗର ପୂର୍ବତନ ଛାତ୍ର।

Share

Leave a Reply