ଅନୁଗୁଳ: ସୋମବାର ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ଦ୍ଵିତୀୟ ସ୍ବତନ୍ତ୍ର କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ବୈଠକର ଅଧ୍ୟକ୍ଷ ସଚିନ ରାମଚନ୍ଦ୍ର ଯାଦବ ସମସ୍ତଙ୍କୁ ସ୍ବାଗତ ଜଣାଇ ସଭା ଆରମ୍ଭ କରିଥିଲେ। ପରେ ଆବାହକ ତଥା ଜିଲ୍ଲାପାଳ ଅନୁଗୁଳ ଅବଦାଲ୍ ମହମ୍ମଦ ଅଖତର କାର୍ଯ୍ୟସୂଚୀ ଅନୁଯାୟୀ ସାତ ଗୋଟି ବିଷୟ ଉପରେ ପର୍ଯ୍ୟାୟକ୍ରମେ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହି ସାତ ଗୋଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏମସିଏଲ ର ସୁଭଦ୍ରା କୋଇଲା ଖଣି ନିମନ୍ତେ ଜମିର ଉଚିତ ମୂଲ୍ୟାଙ୍କନ, ଗୋପାଳପ୍ରସାଦ ଖମାରର ବିସ୍ଥାପିତଙ୍କ ସମସ୍ୟା ସମେତ କାର୍ଯ୍ୟସୂଚୀରେ ସ୍ଥାନିତ ସମସ୍ତ ବିଷୟରେ ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଉଦୟ କୁମାର ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଏମସିଏଲ ସ୍ଵତନ୍ତ୍ର ଭୂଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଏବଂ ତାଳଚେର କୋଇଲା କ୍ଷେତ୍ରର ସମସ୍ତ ମହାପ୍ରବନ୍ଧକ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।




