ତାଳଚେର: ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଏକ ଉତ୍ସାହପ୍ରଦ ପଦକ୍ଷେପ ସ୍ୱରୂପ ମହାନଦୀ କୋଲଫିଲଡସ ଲିମିଟେଡ (ଏମସିଏଲ) ଏହାର ଡିସପେନସାରୀଗୁଡ଼ିକୁ ଡିଜିଟାଲ ଡିସପେନସାରୀରେ ପରିବର୍ତନ କରି ସେଠାରେ ଟେଲି ମେଡିସିନ ଟର୍ମିନାଲ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର କର୍ମଚାରୀଙ୍କୁ ଉତ୍କୃଷ୍ଟଚିକିତ୍ସାସେବା ସୁବିଧା ଉପଲବ୍ଧ କରାଇବ ।
ଡିଜିଟାଲ ଡିସପେନସାରୀରେ ରୋଗୀମାନେ ବିଶେଷଜ୍ଞ ଡାକ୍ତରଙ୍କଠାରୁ ଶାରୀରିକ ଭାବେ ସାକ୍ଷାତ ନକରି ମଧ୍ୟ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ । ଏହା ଦୁର୍ଗମ ସ୍ଥାନରେ ଥିବା ଏମସିଏଲ କର୍ମଚାରୀମାନଙ୍କୁ କମ୍ପାନୀର ଆଂଚଳିକ ଏବଂ କେନ୍ଦ୍ରୀୟ ଡାକ୍ତରଖାନାରେ ଅବସ୍ଥାପିତ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଡାକ୍ତରୀ ପରାମର୍ଶ ନେବାକୁ ସକ୍ଷମ କରିବ । ପ୍ରାରମ୍ଭରେ, ଛଅଟି ଡିସପେନସାରୀ / ଡାକ୍ତରଖାନା ଯଥା ବଳରାମ ଡିସପେନସାରୀ, କଣିହାଁ ଡିସପେନସାରି, ବସୁନ୍ଧରା ଆଞ୍ଚଳିକ ହସପିଟାଲ, ଲଖନପୁର ଆଞ୍ଚଳିକ ହସପିଟାଲ, ରାମପୁର ଡିସପେନସାରି ଏବଂ ଆନନ୍ଦ ବିହାର ହସ୍ପିଟାଲ ଏମସିଏଲରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଏମସିଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।