ଅନୁଗୁଳ: ଏବେ ରାଜ୍ୟରେ ନକଲି ଔଷଧ ପୁଣି କାୟା ମେଲାଇ ଥିବା ବେଳେ ଚାରିଆଡେ ଏଥିନେଇ ଭୟର ବାତାବରଣ ଦେଖାଦେଇଛି। କଟକର ଦୁଇଜଣ ଔଷଧ ବିତରକ ନକଲି ଟେଲମିସର୍ଟନ ରାଜ୍ୟର ଅନେକ ସ୍ଥାନକୁ ପଠାଇଥିବା ସରକାର ଜାଣିବା ପରେ ସତର୍କତା ସ୍ୱରୂପ ଏହି ଔଷଧ ମାର୍କେଟରୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ଅନୁଗୁଳ ଡ଼ିଆଇ ମୁକ୍ତିନନ୍ଦା ଶତପଥୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ ଉପରୁ ଆସିଥିବା ନୀର୍ଦେଶନାମା ଅନୁସାରେ ଏସ୍ବି ଏଣ୍ଟରପ୍ରାଇଜେସର ନିର୍ଦିଷ୍ଟ ବ୍ୟାଚର ଟେଲମା ଔଷଧ ରିଟେଲରଙ୍କ ଳଠୁ ଫେରାଇ ଆଣିବାକୁ ନିର୍ଦେଶ ଦିଆଯାଇଛି। ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି।ଔଷଧ ବିକ୍ରେତା ସଂଘର ସଭାପତି ନିର୍ମଳ ମିଶ୍ରଙ୍କ କହିବା ଅନୁସାରେ ବିନା ବିଲରେ ଔଷଧ ନକିଣିବାକୁ ଆମେ କେମିଷ୍ଟଙ୍କୁ ସଚେତନ କରୁଛୁ। ନକଲି ଔଷଧ ଉପରେ ଅଭିଯୋଗ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଅନ୍ୟ ପକ୍ଷରେ ଅବସରପ୍ରାପ୍ତ ସିଡିଏମଓ ଡା ବିଛନ୍ଦ ଚରଣ ପ୍ରଧାନ ନିଜ ପ୍ରତିକ୍ରିୟାରେ ଅନୁଗୁଳ ଔଷଧ ବଜାରରେ ଚାଲିଥିବା ନକଲି ଓ ଦଲାଲୀ କାରବାର ନେଇ ସାଙ୍ଘାତିକ ତଥ୍ୟ ରଖିଛନ୍ତି। ସେ କହିଛନ୍ତି କିଛି ଔଷଧ ଦୋକାନୀ ରାତାରାତି କୋଟିପତି ହେବାର ଲୋଭରେ ଡକ୍ଟର ଚାମ୍ବର ଖୋଲି ନକଲି ଡାକ୍ତର ବସାଇ ରୋଗୀଙ୍କୁ ଠକୁଛନ୍ତି। ସେମାନେ କେତେକ ଦଲାଲ ରଖି ରୋଗୀଙ୍କୁ ନିଜ କ୍ଲିନିକକୁ ଯିବାପାଇଁ ଲୋଭ ଦେଖାଉଛନ୍ତି। ଆଉ କିଛି ନକଲି ଡାକ୍ତର ଅନୁଗୁଳର ବିଭିନ୍ନ ଔଷଧ ଦୋକାନକୁ ଆସି ରୋଗୀ ଦେଖୁଛନ୍ତି, କଟକରୁ ଔଷଧ ଆଣି ବିକୁଛନ୍ତି। ଏ ଔଷଧ ଅସଲି ନା ନକଲି ତାହା ଦେଖିବାକୁ କେହି ନାହିଁ। ଏଭଳି କ୍ଷେତ୍ରରେ ବିଚରା ରୋଗୀ ଅନେକ ସମୟରେ ଗୁରୁତର ହୋଇ କଟକ ଯିବାକୁ ବାଧ୍ୟ ହେଉଛି।ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।