ଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

You are currently viewing ଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଭୋଟର ତାଲିକା ପ୍ରସ୍ତୁତି ନେଇ ଏକ ବୈଠକ ବୁଧବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ ୨୦୨୨ ଅନୁସାରେ ରୂପାନ୍ତରିତ ପଞ୍ଜିକରଣ ଫର୍ମଗୁଡିକର ସରଳୀକରଣ ବ୍ୟବସ୍ଥା, ଏହାର କାର୍ଯ୍ୟକାରିତା, ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ। କେନ୍ଦ୍ର ସରକାରଙ୍କ ଆଇନ୍ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କିଛି ସଂଶୋଧନ କରାଯାଇଛି। ଚଳିତ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ପୂର୍ବରୁ ନୂଆ ଭୋଟରଙ୍କ ପଞ୍ଜିକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳିରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳିକୁ ସ୍ଥାନାନ୍ତରଣ ପାଇଁ ବ୍ୟବହାର କରାଯାଉଥିବା ଫର୍ମ ୬ ଏବେ କେବଳ ନୂତନ ଭୋଟରଙ୍କ ପଞ୍ଜିକରଣ ପାଇଁ ବ୍ୟବହାର କରାଯିବ। ଫର୍ମ ୭ରେ ପୂର୍ବରୁ ଭୋଟର ତାଲିକାର ନାମ ବାଦ ଦେବା। ନାମ ଅନ୍ତର୍ଭୁକ୍ତ ଥିଲେ ଆପତି ଅଭିଯୋଗ କରିବା ପାଇଁ ଆବେଦନ କରିବାକୁ ହେଲେ, ଏଥି ସହିତ ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ। ସେହିପରି ଫର୍ମ ୮ରେ ପୂର୍ବରୁ ଭୋଟର ତାଲିକାରେ ତୃଟି ଥିବା ବିବରଣୀର ସଂଶୋଧନ କରାଯାଉଥିବା ବେଳେ ଏବେ ସେଥିରେ ନିର୍ବାଚନ ମଣ୍ଡଳି ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ, ଭୋଟର ତାଲିକାରେ ଥିବା ବିବରଣୀ ସଂଶୋଧନ ଓ ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ଆଦି କରାଯିବ।

ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିବାକୁ ବର୍ଷକୁ ଥରେ ମାତ୍ର ସୁଯୋଗ ମିଳୁଥିବା ବେଳେ ଏବେ ତାହା ପରିବର୍ତ୍ତନ କରାଯାଇ ବର୍ଷରେ ୪ଥର ସୁଯୋଗ ମିଳିପାରିବ ବୋଲି ସୂଚନା ଦିଆଯାଇଥିଲା। ୪ଟି ଯୋଗ୍ୟତା ସୂଚକ ତାରିଖ ଯଥା, ଜାନୁଆରୀ ୧ତାରିଖ, ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ବେଳକୁ ଯେଉଁ ନାଗରିକ ମାନଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନେ ପରବର୍ଷ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜ ନାମ ପଞ୍ଜିକରଣ କରିପାରିବେ। ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କାର୍ଯ୍ୟକ୍ରମ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ରେ କରାଯାଇପାରିବ। ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ମନିଷା ଗୁପ୍ତା ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Share

Leave a Reply