ତାଳଚେର : ତାଳଚେର ପୌର ପରିଷଦ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ୧୦ ଦଫା ଦାବି ସମ୍ମଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳ, ନଗରପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।
ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ପୌର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ବୃନ୍ଦ ଦୀର୍ଘ ଚାରି ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସରକାରଙ୍କ ଅଧୀନରେ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଜରିଆରେ ନିରବଚ୍ଛିନ୍ନ ଭାବେ ନାଗରିକମାନଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ସେମାନେ ସହରରେ ସଂଗୃହୀତ ଅଳିଆ ଅବଜର୍ନାକୁ ପୃଥକୀକରଣ କରିବା ସହିତ ଘରକୁ ଘର ଯାଇ ସର୍ଭେ କରିବା, ସ୍ୱଚ୍ଛ ସର୍ବେକ୍ଷଣ, ଅଙ୍ଗୀକାର ଓ ଗରିମା ସର୍ଭେ, ୟୁଜରନେସ ଫି ସଂଗ୍ରହ ଆଦି କାମରେ ନିୟୋଜିତ ଅଛନ୍ତି।
କିନ୍ତୁ ଆଜି ଯାଏଁ ସେମାନେ ସରକାରୀ ଅବହେଳାର ଶିକାର ହୋଇ ଆସିଛନ୍ତି। ସରକାରଙ୍କ ଅଧୀନରେ ସରକାରୀ ସେବାରେ ନିୟମିତ ଭାବେ କାମ କରୁଥିଲେ ସୁଦ୍ଧା ସରକାର ସେମାନକୁ ନିଜର କର୍ମଚାରୀ ଭାବେ ଗ୍ରହଣ କରିନାହାଁନ୍ତି କି ଅନ୍ୟ କର୍ମଚାରୀଙ୍କ ପରି ସେମାନଙ୍କୁ ସର୍ବନିମ୍ନ ଦରମା କିମ୍ବା ସମ୍ମାନ ଦେଇନାହାନ୍ତି । ବିନା କୌଣସି ନିଯୁକ୍ତିପତ୍ରରେ ସ୍ୱଚ୍ଛସାଥୀ ଓ ସୁପରଭାଇଜରମାନଙ୍କୁ ମାସିକ ଯଥାକ୍ରମେ ମାତ୍ର ୪ ଓ ୮ ହଜାର ଟଙ୍କା ଦରମାରେ ନିୟୋଜିତ କରାଯାଇଥିବା ବେଳେ ବହୁ ଦାବି ପରେ ଗତ ନିର୍ବାଚନ ପୂର୍ବରୁ ତାକୁ ଯଥାକ୍ରମେ ୮ ଓ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ତେବେ ରାଜ୍ୟ ସରକାର ଦରମାକୁ ବୃଦ୍ଧି କରିଥିଲେ ମଧ୍ୟ ରାଜ୍ୟର ତିନୋଟି ସହରାଞ୍ଚଳକୁ ଛାଡ଼ିଦେଲେ ଅନ୍ୟଠାରେ ଏଯାଏଁ ବର୍ଦ୍ଧିତ ହାରରେ ଦରମା ପ୍ରଦାନ କରିନାହାନ୍ତି। ଏଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।


