ଅନୁଗୁଳ: କିଟ୍ ଓ କିସ୍ ପକ୍ଷରୁ ଶନିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର ୫୫ ଟି ସ୍ଥାନରେ ଏହି ମିନି ମାରାଥନ୍ ଆୟୋଜିତ ହୋଇଥିଲା। ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ମାରାଥନରେ ସବୁ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ।
ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର ମୁଖ୍ୟ ଅତିଥି, ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଯୋଗ ଦେଇ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରି ଷ୍ଟାଡିୟମରେ ପହଞ୍ଚିଥିଲା। ୨୦୦ରୁ ଅଧିକ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି ମାରାଥନରେ ସାମିଲ ହୋଇଥିଲେ। ଏହି ଅବସରରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନକୁ ଏକ ଉଦାହରଣ ଭାବେ ନେଇ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ସମସ୍ତ ଅତିଥି ପରାମର୍ଶ ଦେଇଥିଲେ।
କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଅଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ-କିସର କର୍ମଚାରୀ ଶିଶିର ସାହୁ, ବିପିନ କହଁର, ସୁଧୀର ଉଗ୍ରଶୁଣ୍ଢୀ, ନରେଶ ସାହୁ, ରଂଜିତ ସାମାଡ଼, ଅନାଦି ନାୟକ, ପ୍ରଦ୍ୟୁମ୍ନ ଦାଶ, ରାଜେନ୍ଦ୍ର ଶୁଣ୍ଢି, ଜଙ୍ଗଲ ପୂର୍ତ୍ତି, ସମାଜସେବୀ ପର୍ଶୁରାମ ଦାସ, ବ୍ରହ୍ମଜ୍ୟୋତି ମିଶ୍ର, ବରିଷ୍ଠ ସାମ୍ବାଦିକ ଜଗଦୀଶ ପ୍ରସାଦ ଅଗ୍ରୱାଲ, ପ୍ରତାପ ମହାପାତ୍ରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।