ପୁଲିସର ଖାମଖିଆଲି ଯୋଗୁଁ ଗଲା କଅଁଳ ଜୀବନ: ୧୫ ଦିନ ପରେ ନାଳରୁ ମିଳିଲା ମୁକ ବଧିର ଆବାସିକ ବିଦ୍ୟାଳୟରୁ ନିଖୋଜ ଛାତ୍ରୀଙ୍କ ମୃତଦେହ

You are currently viewing ପୁଲିସର ଖାମଖିଆଲି ଯୋଗୁଁ ଗଲା କଅଁଳ ଜୀବନ: ୧୫ ଦିନ ପରେ ନାଳରୁ ମିଳିଲା ମୁକ ବଧିର ଆବାସିକ ବିଦ୍ୟାଳୟରୁ ନିଖୋଜ ଛାତ୍ରୀଙ୍କ ମୃତଦେହ

ଅନୁଗୁଳ: ମୁକ ବଧିର ଆବାସିକ ବିଦ୍ୟାଳୟରୁ ନିଖୋଜ ହୋଇଯାଉଛନ୍ତି ଛାତ୍ରୀ। ଆଉ ଅଭିଯୋଗ ପରେ ବି ଖୋଜାଖୋଜି କରିବାରେ ତତ୍ପରତା ପ୍ରକାଶ କରୁନି ପୁଲିସ। ସବୁଠୁ ଦୁଃଖର ବିଷୟ ହେଉଛି ନିଖୋଜ ହେବାର ୧୫ ଦିନ ପରେ ମିଳୁଛି ଛାତ୍ରୀଙ୍କ ମୃତ ଦେହ। ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସର ଚରମ ଅବହେଳାର ଏଭଳି ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି ସ୍ଥାନୀୟ ବଅଁରପାଳ ବ୍ଲକ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ଵତନ୍ତ୍ର ମୁକ ବଧିର ଆବାସିକ ବିଦ୍ୟାଳୟରେ।

ନିଖୋଜ ହେବାର ପ୍ରାୟ ୧୫ ଦିନ ପରେ ଏଠାରେ ରହି ପାଠ ପଢ଼ୁଥିବା ୮ବର୍ଷର ଦିବ୍ୟାଙ୍ଗ ଛାତ୍ରୀ ଲିମା (ଛଦ୍ମନାମ) ଙ୍କ ମୃତ ଦେହ ନିକଟସ୍ଥ ନନ୍ଦିରା ଯୋରରୁ ଠାବ ହୋଇଛି। ଏହି ଘଟଣାରେ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୁଲିସର ଦାୟିତ୍ବହୀନତା ସ୍ପଷ୍ଟ ସୂଚିତ ହେଉଛି।

ଏହି ଆବାସିକ ବିଦ୍ୟାଳୟ କେବଳ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଣୁ ଏଠାରେ ଛାତ୍ରଛାତ୍ରୀଙ୍କର ଅଧିକ ଯତ୍ନ ନିଆଯିବା କଥା। କିନ୍ତୁ ନିଜେ କହି କିମ୍ବା ଶୁଣିବାକୁ ଅକ୍ଷମ ଥିବା ଛାତ୍ରୀ ହଷ୍ଟେଲରୁ କୁଆଡେ ଚାଲିଯିବା ଘଟଣା; ଦାୟିତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀଙ୍କ ବେପରୁଆ ମନୋଭାବର ପ୍ରମାଣ ଦେଉଛି। ଅନ୍ୟପଟେ ଅଭିଯୋଗ ପରେ ବି ପୁଲିସ ମାମଲାକୁ ଗୁରୁତ୍ୱର ସହ ନ ନେବା ପୁଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଏବଂ ଭବିଷ୍ୟତରେ ଏଭଳି ଘଟଣା ନଘଟିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍.ଓ ଏବଂ ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ ଦାବି କରିଛି। ଏ ନେଇ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନ ବେଳେ ସଂଗଠନର କାର୍ଯ୍ୟକର୍ତ୍ତା ନିରଞ୍ଜନ ନାୟକ, ଜ୍ୟୋତ୍ସ୍ନା ସାମଲ, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply