ଅନୁଗୁଳ: ଅନୁଗୁଳ ବନଖଣ୍ଡର ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରେ ଶନିବାର ସକାଳୁ ଏକ ଏକ ମାସର ଛୁଆ ହାତୀ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ପ୍ରାୟ ୪୫ ଟିକିଆ ହାତୀପଲ ଧାନ ଖାଇବା ଉଦ୍ଦେଶ୍ୟରେ ଶ୍ୟାମସୁନ୍ଦରପୁର ଅଞ୍ଚଳକୁ ଆସିଥିଲେ। ଏହି ପଲ ମଧ୍ୟରେ ଏକ ନବଜାତ ଶାବକ ମଧ୍ୟ ଥିଲା।
ସକାଳ ହୋଇଯିବାରୁ ଦଳର ଅନ୍ୟ ହାତୀମାନେ ନିକଟସ୍ଥ ମନ୍ଦରଗିରୀ ଜଙ୍ଗଲକୁ ଫେରି ଯାଇଥିଲେ, ମାତ୍ର ଛୁଆ ହାତୀଟି ବିଲ କାଦୁଅରେ ଫସିଯିବାରୁ ସେଠାରୁ ବାହାରି ପାରିନଥିଲା। ଫଳରେ ମା’ ହାତୀ ଛୁଆକୁ ଛାଡ଼ି ଚାଲିଯାଇଥିଲା।
ସକାଳୁ କିଛି ଚାଷୀ ବିଲକୁ ଆସି ଛୁଆ ହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଅନୁଗୁଳ ବନବିଭାଗ କର୍ମଚାରୀ ରଞ୍ଜନ ପ୍ରଧାନଙ୍କ ସମେତ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସାହାଯ୍ୟରେ ଛୁଆ ହାତୀଟିକୁ ଉଦ୍ଧାର କରିଥିଲେ।
ଉଦ୍ଧାର ହୋଇଥିବା ହାତୀ ଛୁଆଟିକୁ ବର୍ତ୍ତମାନ କୁଲାସିଙ୍ଗା ଫରେଷ୍ଟ ବିଟ୍ ନିକଟରେ ରଖାଯାଇଛି। ବନ ବିଭାଗ ଛୁଆ ହାତୀଟିକୁ ପୁଣି ଥରେ ନିଜ ଦଳ ସହିତ ମିଶାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।
