ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ରକ୍ତଭଣ୍ଡାର କର୍ମଚାରୀମାନେ ଶୁକ୍ରବାର କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ କରିଛନ୍ତି। ଅଗଷ୍ଟ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧିବେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ବାଧ୍ୟ ହୋଇ ଅନୁଗୁଳ ରକ୍ତ ଭଣ୍ଡାରର କର୍ମଚାରୀ କଳାବ୍ୟାଚ ପିନ୍ଧି ନିଜର ଦାବି ପାଇଁ ପ୍ରତିବାଦ କରିଛନ୍ତି।
କର୍ମଚାରୀମାନେ ପ୍ରକାଶ କରିଛନ୍ତି ଯେ, ସେମାନେ ୨୦୧୭ ମସିହାରୁ କମ ଦରମାରେ ଠିକାରେ କାମ କରୁଛନ୍ତି। ୨୦୧୭ ମସିହାରୁ ରାଜ୍ୟ ସରକାର ରକ୍ତ ଭଣ୍ଡାରକୁ ନିଜ ଅଧୀନକୁ ନେଇଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଫଳରେ ସବୁ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଅର୍ଥ ଅଭାବରୁ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।











