ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

0

 

ଅନୁଗୁଳ: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ,ଅନୁସୂଚିତ ଜାତି ଓ ଜନଜାତି ଊନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ବଅଁରପାଳ ସେବାଶ୍ରମ ଠାରେ ଊଦଘାଟିତ ହୋଇଯାଇଛି । ଏହି ଶିବିରରେ ପାଠ୍ୟ ପୁସ୍ତକ,ମୌଳିକ ସ୍ୱାକ୍ଷର, ସଂଖ୍ୟା ଜ୍ଞାନ ଓ ଜନ ଜାତି ଭାଷାର ସଂଯୋଜନ ଭିତ୍ତିକ ବହୁ ଭାଷା ପ୍ରଶିକ୍ଷଣ ଛାତ୍ର ଛାତ୍ରୀମାନଙ୍କୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ସହ ନିର୍ଦ୍ଦେଶକ ସମରେନ୍ଦ୍ର ଭୁତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନଜାତି ଛାତ୍ରଛାତ୍ରୀମାନେ ସାମନା କରୁଥିବା ଭାଷା ସମ୍ବନ୍ଧୀୟ ସମସ୍ୟା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଶିବିରରେ ଅଧିକରୁ ଅଧିକ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀମାନଂକୁ ଅଂଶଗ୍ରହଣ କରାଇ ଏହାକୁ ବ୍ୟାପକ କରିବା ପାଇଁ ସେ ଆହ୍ବାନ ଦେଇଥିଲେ । ଏହି ଶିବିରରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସେବାଶ୍ରମ ଓ ଆଶ୍ରମ ବିଦ୍ୟାଳୟର ମୋଟ ୫୦ ଜଣ ବହୁ ଭାଷୀ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର ଯୋଗ ଦେଇ ଶ୍ରେଣୀ ଗୃହରେ ଭାଷାକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନୂତନ ଶିକ୍ଷଣ ପ୍ରଣାଳୀ ମାଧ୍ୟମରେ କିପରି ପାଠପଢାକୁ ସରଳ କରାଯାଇ ପାରିବ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ଭାଷାବିତ୍ ଡ.ଭୁବନେଶ୍ବର ପଟେଲ ଏହି ଶିବିରରେ ଯୋଗ ଦେଇ ତାଲିମର ବିଭିନ୍ନ ବିଷୟବସ୍ତୁ, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ସେହିପରି ପରାମର୍ଶଦାତା ଡ.ଚିତ୍ରସେନ୍ ପ୍ରଶାୟତ ଯୋଗଦେଇ ବହୁ ଭାଷୀ ଶିକ୍ଷାର ଆବଶ୍ୟକତା ଏବଂ ବିଦ୍ୟାଳୟରେ ଏହାର ପ୍ରୟୋଗ କିପରି ସୂଚାରୁରୁପେ କରାଯିବ ଏଥ‌ି ନିମନ୍ତେ ସମ୍ୟକ ବିବରଣୀ ରଖୁଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.

error: Content is protected !!