ଅନୁଗୁଳ: ଅନୁଗୁଳ ସହର ଭିତରେ ବେଆଇନ ସପିଙ୍ଗ ମଲ ଉପରେ ପୌରପାଳିକାର ଛାଟ ବସିବା ନେଇ ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ଅନୁଗୁଳ ଟ୍ରକ ମାଲିକ ସଂଘକୁ ନୋଟିସ୍ ଜାରି ହେବା ପରିବେଶକୁ ସରଗରମ କରିଛି। ସବୁଠାରୁ ବଡ କଥା ହେଲା ସଂଘର ସାଧାରଣ ସମ୍ପାଦକ ପଦରେ ପୌରାଧକ୍ଷ ଅକ୍ଷୟ ସାମନ୍ତ ଥିବା ବେଳେ ପୌରପାଳିକା ଚିଠିକୁ ନେଇ ଚର୍ଚା ଆରମ୍ଭ ହୋଇଛି। ଚିଠିରେ ସଂଘର କାର୍ଯ୍ୟାଳୟର ଆରଓଆର, କୋଠାର ବିଲ୍ଡିଂଗ ଅନୁମତି ଓ ଟ୍ରେଡ଼ ଲାଇସେନ୍ସ ଅଛି କି ନାହିଁ ଲେଖା ଯାଇଛି।
ଏ ଚିଠି ପରେ ସଂଘ ସଦସ୍ୟଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସଂଘର ସଭାପତିକି ସମ୍ପାଦକ କେହି ଫୋନ ଉଠାଉ ନାହାନ୍ତି। ଏ ଘଟଣାରେ ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସତ୍ୟାନନ୍ଦ ଦଳବେହେରା ମୁହଁ ଖୋଲିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସଂଘ ଲାଭ ପାଇଁ ବ୍ୟବସାୟ କରୁନାହିଁ ଓ ଏହା ଏକ ଚ୍ୟାରିଟେବୁଲ ଅନୁଷ୍ଠାନ ବୋଲି କହିଥିଲେ। ତେବେ ପୌରପାଳିକା ଚାହୁଁଥିବା ଦସ୍ତାବିଜ ସଂଘ ପାଖରେ ଅଛି କି ନାହିଁ ତାହା ସେ କହିପାରିବେ ନାହିଁ ବୋଲି ଶ୍ରୀ ଦଳବେହେରା ପ୍ରକାଶ କରିଥିଲେ।















