ଅନୁଗୁଳ: ସ୍ଥାନୀୟ କଙ୍ଗୁଳା-ବେନ୍ତପୁର ପଞ୍ଚାୟତର ନୂଆସାହି ଗାଁରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଲିଟୁ ସାହୁ (୩୪)। ମିଳିଥିବା ସୂଚନା ଅନୁସାରେ, ଗାଁର ଭିନ୍ନକ୍ଷମ ଦୁଷ୍ମନ୍ତ ସାହୁ (୨୨) ମାସେ ହେବ ଗାଁରେ ଏକ ପାନ ଦୋକାନ କରିଥିଲେ। ଆଜି ଦିନ ପ୍ରାୟ ୧୨ଟା ୩୦ ବେଳେ ଲିଟୁ ଦୋକାନରେ ପହଞ୍ଚି ସିଗାରେଟ ମାଗିଥିଲେ। କିନ୍ତୁ ଏଥିପାଇଁ ସେ ପଇସା ଦେଇ ନଥିଲେ। ଦୁଷ୍ମନ୍ତ ପଇସା ମାଗିବାରୁ ଲିଟୁ ତାଙ୍କୁ ମାରପିଟ୍ କରିଥିଲେ। ଅସହାୟ ଦୁଷ୍ମନ୍ତ ଘରକୁ ଆସି ବାପା ବିଜୟ ସାହୁଙ୍କୁ ସବୁ କଥା କହିଥିଲେ। ତାପରେ ବାପା ଓ ଭାଇଙ୍କୁ ନେଇ ସେ ଲିଟୁ ଘରକୁ ଯାଇଥିଲେ। ଲିଟୁକୁ ବୁଝାଇଥିଲେ, କିନ୍ତୁ ସେ ସେଠାରେ ପୁଣି ଦୁଷ୍ମନ୍ତକୁ ମାରପିଟ୍ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଦୁଷ୍ମନ୍ତଙ୍କ ଭାଇ ଏକ ଭୁଜାଲିରେ ଲିଟୁ ବେକକୁ ଚୋଟେ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ଲିଟୁ ଟଳିପଡ଼ିଥିଲେ। ଦୁଷ୍ମନ୍ତ ତାଙ୍କ ବାପା ଓ ଭାଇ ଲିଟୁକୁ ଅନୁଗୁଳ ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଯେ ଅନେକ ସମୟରେ ଲିଟୁ ଗାଁରେ ଏମିତି ଗଣ୍ଡଗୋଳ କରିଥାନ୍ତି। ତାଙ୍କ ନାଁରେ ସଦର ଥାନାରେ ବହୁ ମାମଲା ବି ରହିଥିବା ସୂଚନା ମିଳିଛି।
ସିଗାରେଟ୍ ପଇସା ନ ଦେବାରୁ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ
