ଅନୁଗୁଳ : ମାଡ଼ ମାରି ଜଣଙ୍କୁ ଜୀବନରୁ ମାରିବା ପରେ ତାହାକୁ ଦୁର୍ଘଟଣାର ରୂପ ଦିଆଯାଇଥିବା ନେଇ ହିନ୍ଦୋଳ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସ୍ଥାନୀୟ କୁରୁମିଠା ଗାଁରେ ଗତ ୨୪ ତାରିଖ ରାତିରେ ଜରାଶିଙ୍ଗାର ବିଶ୍ୱଜିତ ବେହେରା (୨୦)ଙ୍କୁ ଉକ୍ତ ଗାଁର କାଳିଆ ମହାରଣା ଡାକି ନେଇ ଗାଁ ଭିତରକୁ ଯାଉଥିଲେ। ସେଠାରେ ଗାଁର କିଛି ଲୋକ ଉଭୟଙ୍କୁ ମାଡ଼ ମାରିଥିଲେ। ବିଶ୍ୱଜିତକୁ ମାଡ଼ ହେଉଥିବା ବେଳେ କାଳିଆ ମାଡ଼ ଖାଇ ଜୀବନ ବିକଳରେ ଘଟଣାସ୍ଥଳରୁ ଖସି ପଳାଇ ଥିଲେ ବୋଲି ବିଶ୍ୱଜିତଙ୍କ ପରିବାର ଲୋକେ କହିଛନ୍ତି।
ଗାଁ ଲୋକ ବିଶ୍ୱଜିତକୁ ମାଡ଼ ମାରି ଜୀବନରୁ ମାରିଦେଇଛନ୍ତି ବୋଲି ତାଙ୍କ ଦାଦା ଅଭିଯୋଗ କରିଛନ୍ତି। ବିଶ୍ୱଜିତ ରାସ୍ତାରେ ପଡ଼ିଥିବା ନେଇ ହିନ୍ଦୋଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୋଲିସ ଶବ ଜବତ କରିବା ସହିତ ଘଟଣାସ୍ଥଳରେ ପଡ଼ିଥିବା ବାଇକ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।
ଅନ୍ୟପଟେ ବିଶ୍ୱଜିତଙ୍କ ପରିବାର ଲୋକ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ ଯେ ବିଶ୍ୱଜିତକୁ ହତ୍ୟା କରି ରାସ୍ତାରେ ପକାଇ ଦୁର୍ଘଟଣାର ରୂପ ଦିଆଯାଇଛି। ବୁଧବାର ବିଶ୍ୱଜିତଙ୍କ ଶବକୁ ବ୍ୟବଚ୍ଛେଦ କରାଇବା ପରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଦୋଷୀଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଶ୍ୱଜିତଙ୍କ ପରିବାର ଲୋକ ଦାବି କରିଛନ୍ତି।