ହରିଣ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

You are currently viewing ହରିଣ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଏକ ହତ୍ୟା ମାମଲାର ଶୁଣାଣି କରି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ୨୦୧୮ ଫେବ୍ରୁଆରି ୨୮ ତାରିଖ ସନ୍ଧ୍ୟାରେ ଅନାମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରତନୀ ପ୍ରଧାନ ଠାକୁରଗଡ଼ ଥାନା ରଇଡ଼ା ଗ୍ରାମର ଝୁମୁକାନାଳୀ ସାହି ରାସ୍ତାରେ ଠିଆ ହୋଇଥିବା ବେଳେ ସେହି ଗ୍ରାମର ରବୀନ୍ଦ୍ର ଭୋଇ ଉଭୟଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ରତନୀଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନାମକୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମୃତ ଅନାମଙ୍କ ସାନଭାଇ ଗଗନ ପ୍ରଧାନ ୨୦୧୮ ମାର୍ଚ୍ଚ ୧ ତାରିଖ ଭୋରରେ ଠାକୁରଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ହତ୍ୟାକାରୀ ରବୀନ୍ଦ୍ର ଭୋଇକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଜବତ କରିଥିଲା। ଜଙ୍ଗଲରୁ ଶିକାର କରି ଆଣିଥିବା ଏକ ହରିଣ ମାଂସର ଭାଗବଣ୍ଟାକୁ ନେଇ ଏହି ହତ୍ୟା ଘଟଣା ଘଟିଥିବା ଜଣାଯାଇଛି।

ଆଜି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ମାମଲାର ଶୁଣାଣି କରି ହତ୍ୟାକାରୀ ରବୀନ୍ଦ୍ରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ହତ୍ୟାକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ବେହେରା ମାମଲା ଲଢ଼ୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭାବେ ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ ଓ ସରକାରୀ ନିଯୁକ୍ତି ପ୍ରାପ୍ତ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଗାୟତ୍ରୀ ଦାସ ମାମଲା ପରିଚାଳନା କରିଥିଲେ।

Share

Leave a Reply