ଦୁର୍ଗମ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର: ୨୫ ବର୍ଷ ହେଲାଣି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

You are currently viewing ଦୁର୍ଗମ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର: ୨୫ ବର୍ଷ ହେଲାଣି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଅନୁଗୁଳ: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର ଯଥାସାଧ୍ୟ ଚେଷ୍ଟା କରୁଥିଲେ ମଧ୍ୟ ଏବେ ବି ରାଜ୍ୟରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଛାତ୍ରଛାତ୍ରୀ ପଢ଼ିବାକୁ ସର୍ବନିମ୍ନ ସୁବିଧା ବି ପାଉନାହାନ୍ତି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଦୁର୍ଗମ ଅଞ୍ଚଳ ନଗିରା ପଞ୍ଚାୟତ କାଦମ୍ବିନୀପୁର ଗାଁରେ ରହିଛି ସେଭଳି ଏକ ଅଙ୍ଗନବାଡ଼ି। ଏହି ଅଙ୍ଗନବାଡ଼ି ଏକ ଗଛ ମୂଳରେ ଚାଲିଛି। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୫ ବର୍ଷ ହେଲାଣି ଗଛମୂଳେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।

ଏଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ୨୫ ବର୍ଷ ହେବ ଭାଙ୍ଗିଯାଇ ମାଟିରେ ମିଶିଲାଣି। କିନ୍ତୁ ଏବେ ଯାଏଁ ଗାଁରେ ଏକ ନୂଆ ଅଙ୍ଗନବାଡି କେନ୍ଦ୍ର ତିଆରି ହୋଇପାରିନାହିଁ। ଫଳରେ ଖରାଦିନେ ଗଛ ମୂଳରେ ପାଠ ପଢ଼ା ଯାଉଥିବା ବେଳେ ବର୍ଷା ଦିନେ ୟା ତା ବାରଣ୍ଡାରେ ପଢ଼ୁଛନ୍ତି କୋମଳମତି ଶିଶୁ।

ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଗ୍ରାମବାସୀମାନେ ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି କରି ଥକି ପଡ଼ିଲେଣି। ତଥାପି କେହି ତାଙ୍କ କଥା ଶୁଣୁ ନଥିବା ସେମାନେ କହିଛନ୍ତି। ତାଙ୍କ କହିବାନୁସାରେ, ବର୍ଷେ ହେବ ପାଳଲହଡ଼ା ବିଧାୟକ ନୂତନ ଅଙ୍ଗନବାଡି କେନ୍ଦ୍ର ପାଇଁ ଭୂମି ପୂଜନ କରି ଥିଲେ। ଇଟା ବାଲି ପଥର ପକେଇ କାମ ବି ଆରମ୍ଭ ହୋଇଥିଲା। ହେଲେ ବର୍ଷେରୁ ଅଧିକ ସମୟ ହେବ ଗୃହ କାର୍ଯ୍ୟ ସେମିତି ପଡି ରହିଛି।

ଏହି ଅଙ୍ଗନବାଡି କେନ୍ଦ୍ରରେ ଏବେ ୪୦ ଜଣ ପିଲା ପଢ଼ୁଛନ୍ତି। କିନ୍ତୁ ଘର ଓ ରୋଷେଇ ଘର ନଥିବାରୁ ଏମାନଙ୍କୁ ନିଜ ଘରେ ସବୁଦିନେ ରୋଷେଇ କରି ଦେଉଥିବା ରୋଷେୟା କହିଛନ୍ତି।ଏ ନେଇ ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ନେଇ ପାଳଲହଡା ସିଡିପିଓ ଆଲମା କୁଜୁର କହିଛନ୍ତି। ଅନ୍ୟପଟେ ପାଳଲହଡା ବିଡିଓ କହିଛନ୍ତି, ଅଙ୍ଗନବାଡି ଘର ଟେଣ୍ଡର ସରିଛି ଏବଂ ଯିଏ ଟେଣ୍ଡର ନେଇଛି ତାକୁ ଶୀଘ୍ର କାମ ସାରିବା ପାଇଁ କୁହାଯାଇଛି। ତେବେ କେବେ ଅଙ୍ଗନବାଡ଼ି ଘର ହେଉଛି ଓ ପିଲା ସୁରକ୍ଷିତ ଭାବେ ପଢ଼ୁଛନ୍ତି, ଏବେ ତାହା ହିଁ ଦେଖିବାକୁ ବାକି ରହିଲା।

Share

Leave a Reply